ଭାବବିହ୍ୱଳ ହେଲେ ଭାରତୀୟ କ୍ରିକେଟର ମହମ୍ମଦ ସିରାଜ । କହିଲେ, ଆଇପିଏଲରେ ଖରାପ ପ୍ରଦର୍ଶନ କରିବାରୁ କ୍ରିକେଟ ଛାଡି ଅଟୋ ଚଳାଇବାକୁ କୁହାଯାଇଥିଲା । 

172

କନକ ବ୍ୟୁରୋ : ଆଇପିଏଲ ପୂର୍ବରୁ ଭାରତର ଦ୍ରୁତ ବୋଲର ମହମ୍ମଦ ସିରାଜ ଏକ ବଡ ବୟାନ ଦେଇଛନ୍ତି । ସିରାଜ କହିଛନ୍ତି, ୨୦୧୯ ଆଇପିଏଲରେ ଖରାପ ପ୍ରଦର୍ଶନ କାରଣରୁ ମୋତେ କ୍ରିକେଟ ଛାଡି ବାପାଙ୍କ ସହ ଅଟୋ ଚଳାଇବାକୁ କୁହାଯାଇଥିଲା । ସେତେବେଳେ ଏଭଳି କଥା ମୋତେ ବହୁତ କଷ୍ଟ ଦେଇଥିଲା । କିନ୍ତୁ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀଙ୍କ ଟିପ୍ସ ମୋ କ୍ରିକେଟ କ୍ୟାରିୟରକୁ ନୂଆ ଦିଗ ଦେଇଥିଲା । ଯେଉଁଥିପାଇଁ ଏବେ ମୁଁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇ ପାରିଛି ।

୨୦୧୯ ଆଇପିଏଲରେ ସିରାଜ ୯ଟି ମ୍ୟାଚରୁ ମାତ୍ର ୭ଟି ୱିକେଟ ହାସଲ କରିଥିଲେ । ଆଉ ବାଙ୍ଗାଲୋରର ପ୍ରଦର୍ଶନ ମଧ୍ୟ ବେଶ ଖରାପ ରହିଥିଲା । ସିରାଜ କୋଲକାତା ବିପକ୍ଷରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ୨.୨ ଓଭରରେ ୩୬ ରନ୍ ବ୍ୟୟ କରିଥିଲେ ସିରାଜ । ଆଉ ଏହି ସମୟରେ ଦୁଇଟି ବିମର ମଧ୍ୟ ପକାଇଥିଲେ ସିରାଜ, ଯେଉଁଥିପାଇଁ ତାଙ୍କୁ ମ୍ୟାଚ ଅଧାରୁ କୋହଲି ବୋଲିଂ ଆଟାକରୁ ହଟାଇଥିଲେ । ଆଉ ସେତେବେଳେ ଲୋକେ ସୋସିଆଲ ମିଡ଼ିଆରୁ ଆରମ୍ଭ କରି ବ୍ୟକ୍ତିଗତ ଭାବେ କ୍ରିକେଟ ଛାଡି ବାପାଙ୍କ ସହ ଅଟୋ ଚଳାଇବାକୁ କହିଥିଲେ । କିନ୍ତୁ କିଭଳି ସଂଘର୍ଷ କରି ମୁଁ ଟିମରେ ସ୍ଥାନ ପାଇଥିଲି ତାହା କେହି ଦେଖିନଥିଲେ । ଯେତେବେଳେ ମୁଁ ଦଳରେ ଚୟନ ହୋଇଥିଲି ସେତେବେଳେ ଧୋନୀ  କହିଥିଲେ, ଲୋକେ ଯାହା କହିଲେ ବି ଏଥିପ୍ରତି ଧ୍ୟାନ ଦିଅନାହିଁ ।

ଏବେ ଆମେ ଭଲ ପ୍ରଦର୍ଶନ କଲେ ଲୋକେ ତାଳି ମାରିବେ, ଖରାପ ପ୍ରଦର୍ଶନ କଲେ ଗାଳି ଦେବେ । କିନ୍ତୁ ଏହାକୁ ଗମ୍ଭୀରତାର ସହ ନେବା ଉଚିତ ନୁହେଁ । ଯେଉଁମାନେ ମୋତେ ସେତେବେଳେ ଟ୍ରୋଲ କରୁଥିଲେ ଏବେ ସେହିମାନେ ହିଁ ମୋତେ ସବୁଠୁ ଭଲ ବୋଲର ବୋଲି କହୁଛନ୍ତି । ତେବେ ସିରାଜଙ୍କ ଏହି ସଫଳତା ପଛରେ ସଂଘର୍ଷର ପାହାଡ ଲୁଚି ରହିଛି । ଯେତେବେଳେ ଅଷ୍ଟ୍ରେଲିଆ ଗସ୍ତରେ ସିରାଜ ଯାଇଥିଲେ ସେତେବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା । ତେବେ କରୋନା କଟକଣା କାରଣରୁ ଶେଷଥର ପାଇଁ ମଧ୍ୟ ନିଜ ବାପାଙ୍କୁ ଦେଖି ପାରିନଥିଲେ ସିରାଜ ।

୨୦୨୨ ଆଇପିଏଲ ସିଜିନ ପାଇଁ ସିରାଜଙ୍କୁ ବାଙ୍ଗାଲୋର ଦଳ ରିଟେନ କରିଛି । ଗତ କିଛି ସିରିଜରେ ସିରାଜଙ୍କ ଦମଦାର ପ୍ରଦର୍ଶନ ହିଁ ତାଙ୍କ ପାଇଁ ସବୁଠୁ ବଡ ପୁରସ୍କାର ଭାବେ ଉଭା ହୋଇଛି । ଯେଉଁଥିପାଇଁ ଜଣେ ଉଦୀୟମାନ ଖେଳାଳୀଙ୍କୁ ହାତଛଡା କରିବାକୁ ଚାହିଁନାହିଁ ଆରସିବି ।