ବିଜେଡିର ଉଷୁନା ଚାଉଳ ବନାମ ବିଜେପିର ମମିତା ମେହେର । ରାଜଧାନୀରେ ହାଇଭୋଲଟେଜ୍ ଡ୍ରାମା ।

114

କନକ ବ୍ୟୁରୋ : ଗାଁ ଗାଁରେ ପ୍ରଚାର ଜମୁଥିବାବେଳେ ରାଜଧାନୀରେ ଦେଖିବାକୁ ମିଳିଥିଲା ବିଜେଡି ଓ ବିଜେପିର ଲଢ଼େଇ । ବିଜେଡି ଉଷୁନା ଚାଉଳ ଉଠାଇବା ପ୍ରସଙ୍ଗରେ ଏଫସିଆଇ ଆଗରେ ବିକ୍ଷୋଭ କରିଥିବାବେଳେ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ଗର୍ଜିଛି ବିଜେପି । ନବୀନ ନିବାସ ଘେରାଉ କରିବାକୁ ଯିବା ସମୟରେ ପୋଲିସ ଅଟକାଇବାରୁ ଧସ୍ତାଧସ୍ତି ହୋଇଥିଲେ ପୋଲିସ ଓ ବିଜେପି ନେତା ।

ବିଜେଡିର ଉଷୁନା ଚାଉଳ ବନାମ ବିଜେପିର ମମିତା ମେହେର । ଏଫସିଆଇ ଅଫିସ ସମ୍ମୁଖରେ ବିଜେଡିର ବିକ୍ଷୋଭ । ଏପଟେ ରାଜଭବନ ଛକରେ ବିଜେପିର ଗର୍ଜ୍ଜନ । ବିଜେପି ନେତା ଏବଂ ପୋଲିସ ଧସ୍ତାଧସ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ରାଜନୀତି ସରଗରମ ଥିବାବେଳେ ରାଜଧାନୀରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ଦୁଇଟି ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଛନ୍ତି ।

ଚାଷୀଙ୍କ ସହ ଯୋଡି ତୁରନ୍ତ ଉଷୁନା ଚାଉଳ ଉଠାଇବା ଦାବିରେ ଏଫସିଆଇ ଅଫିସ ସମ୍ମୁଖରେ ବିକ୍ଷୋଭ କରିଛି ବିଜେଡି । ଦାବି ପୂରଣ ନହେଲେ ପଲ୍ଲୀରୁ ଦିଲ୍ଳୀ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ବିଜେଡିର ତଥ୍ୟ ଅନୁସାରେ ୨୦୨୦-୨୧ ଖରିଫ ଋତୁରେ ଓଡ଼ିଶା ୫୨ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ଉତ୍ପାଦନ କରିଛି । ଏଥିରୁ ଏଫସିଆଇ ୨୨ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଇବା କଥା । ସେଥିରୁ ୨ ଲକ୍ଷ ଟନ୍ ଅରୁଆ ଚାଉଳ, ୫ ଲକ୍ଷ ଟନ୍ ଭିଟାମିନ୍ ଯୁକ୍ତ ଚାଉଳକୁ ଏଫସିଆଇ କିଣିବାକୁ ରାଜି ଥିବା ବେଳେ ବାକି ୧୫ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଏଫସିଆଇ କିଣିବାକୁ ମନା କରିଛି । ଜବାବ ରଖି ବିଜେଡିକୁ ସମାଲୋଚନା କରିଛି ବିଜେପି ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଣି ଥରେ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ପ୍ରସଙ୍ଗ କରି ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ମମିତାଙ୍କ ହତ୍ୟାକାଣ୍ଡକୁ ଏହା ଭିତରେ ୪ମାସ ବିତିଯାଇଥିଲେ ବି ଚାର୍ଜସିଟ୍ ଦାଖଲ ହୋଇନଥିବାରୁ ଅଭିଯୁକ୍ତକୁ ଜାଣିଶୁଣି ସରକାର ଖସାଇ ଦେବାକୁ ବାଟ କରୁଥିବା ଅଭିଯୋଗ ଆଣି ପ୍ରତିବାଦ କରିଛି ବିଜେପି । ଏଥିସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ନବୀନ ନିବାସ ଘେରାଉ ପାଇଁ ରାଜଭବନ ଛକରୁ ବାହାରିଥିଲେ ଶତାଧିକ ବିଜେପି କର୍ମୀ । ଶିଶୁ ଭବନ ଛକରେ ପୋଲିସ ବିଜେପି କର୍ମୀଙ୍କୁ ଅଟକାଇଥିଲା । ବିଜେପି କର୍ମୀ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିବାକୁ ଉଦ୍ୟମ କରିବାବେଳେ, ପୋଲିସ ବିକ୍ଷୋଭକାରୀଙ୍କୁ ଅଟକାଇବାରୁ ମୁହାଁମୁହିଁ ହୋଇଥିଲେ ।

ବିଜେପି କର୍ମୀ ଓ ନେତା ନବୀନ ନିବାସ ମୁହାଁ ହେଉଥିବାବେଳେ ସେମାନଙ୍କୁ ଅଟକାଇବାରୁ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ । ମୁଖପାତ୍ର ଠାକୁର ରଞ୍ଜିତ ଦାସ ଓ ପୋଲିସ କର୍ମୀ ହାତାହାତି ହୋଇଥିଲେ । ବିଜେପିର ମହିଳା ନେତ୍ରୀମାନଙ୍କୁ ପୋଲିସ ଟାଣିଟାଣି ଗାଡିରେ ଭର୍ତି କରିଥିଲା । ଯାହା ବେଶ ଚର୍ଚ୍ଚାର ବିଷୟ ହୋଇଛି ।