ହୃଦଘାତରେ ନୁହେଁ ସୋନାଲୀଙ୍କୁ ହତ୍ୟା କରାଯାଇଛି, ହତ୍ୟା ପଛରେ କାହାର ହାତ ଅଛି? ସାଂଘାତିକ୍ ଅଭିଯୋଗ ଆଣିଲେ ସୋନାଲୀଙ୍କ ପୁତୁରା

210

ବିଗ୍ ବସ୍-୧୪କୁ ୱାଇଲଡ କାର୍ଡ ପ୍ରତିଯୋଗୀଭାବେ ଆସି ଲୋକପ୍ରିୟ ହୋଇଥିବା ସୋନାଲୀ ଫୋଗଟ ଆଉ ନାହାନ୍ତି। ହୃଦଘାତ କାରଣରୁ ତାଙ୍କର ସୋମବାର ରାତିରେ ମୃତ୍ୟୁ ହୋଇଛି। ଅଭିନୟ ସହ ରାଜନୀତିରେ ମଧ୍ୟ ସକ୍ରିୟ ଥିବା ସୋନାଲୀଙ୍କ ହଠାତ ଏଭଳି ମୃତ୍ୟୁ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିିଛି । ସ୍ବାମୀଙ୍କର ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହେବାର କିଛି ବର୍ଷ ପରେ ସୋନାଲୀଙ୍କ ମୃତ୍ୟୁ ହେବାରୁ ଏବେ ତାଙ୍କ ଝିଅ ଏକା ହୋଇଯାଇଛନ୍ତି । ତେବେ ପ୍ରାଥମିକ ତଦନ୍ତ‌ରୁ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କଥା କୁହାଯାଉଥିବା ବେଳେ ସୋନାଲୀଙ୍କ ପୁତୁରା ହତ୍ୟା ଅଭିଯୋଗ ଆଣିଛନ୍ତି। ପୁତୁରା ଓକିଲ ବିକାଶ ସୋନାଲୀଙ୍କ ବ୍ୟକ୍ତିଗତ ସହାୟକ ସୁଧୀର ସାଙ୍ଗୱାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସୋନାଲୀଙ୍କ ମୃତ୍ୟୁ ପାଇଁ ବିକାଶ ସୁଧୀର ସାଙ୍ଗୱାନଙ୍କୁ ଦାୟୀ କରିଛନ୍ତି। ବିକାଶ କହିଛନ୍ତି ଯେ ସୁଧୀର ସାଙ୍ଗୱାନ ସୋନାଲୀ ଫୋଗାଟଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଛନ୍ତି।

ଏହି ସମୟରେ ସୋନାଲୀ ଫୋଗାଟଙ୍କ ଭାଇ ଫେସବୁକ ଲାଇଭରେ କହିଛନ୍ତି ଯେ ତାଙ୍କୁ ଗୋଆ ପୁଲିସ ସାହାଯ୍ୟ କରୁ ନାହିଁ। ସେ ଗୋଆ ପୁଲିସ ଷ୍ଟେସନ ସମ୍ମୁଖରେ ଠିଆ ହୋଇ ଏହି ଲାଇଭ୍ କରିଛନ୍ତି। ସୋନାଲୀଙ୍କ ଭାଇ ଗୋଆ ପୁଲିସକୁ ହତ୍ୟା ମାମଲା ରୁଜୁ କରିବାକୁ କହୁଥିବା ବେଳେ ପୁଲିସ ଏଭଳି କରୁନଥିବାରୁ ଏନେଇ ଲାଇଭ କରି ଜଣାଇଛନ୍ତି ତାଙ୍କ ଭାଇ।

ତେବେ ମଙ୍ଗଳବାର ସୋନାଲୀଙ୍କ ଭଉଣୀ କହିଥିଲେ ଯେ, ଗୋଆ ଯିବା ପୂର୍ବରୁ ସେ ମା’ଙ୍କ ସହ କଥା ହୋଇଥିଲେ। ସମ୍ପୂର୍ଣ୍ଣ ଭଲ ଥିବା କଥା କହିବା ସହ ଅଗଷ୍ଟ ୨୭ରେ ସେ ସୁଟିଂ ସାରି ଫେରିବେ ବୋଲି କହିଥିଲେ। ହେଲେ ସୋମବାର ସକାଳୁ ସେ ମା’ଙ୍କୁ ଫୋନ କରି ତାଙ୍କୁ କିଛି ଭଲ ଲାଗୁନଥିବା କହିଥିଲେ। ଏହା ସହ ସେ କହିଥିଲେ, ଖାଦ୍ୟ ଖାଇବା ପରେ ତାଙ୍କୁ ଭଲ ଲାଗୁନାହିଁ। ଲାଗୁଛି ଖାଦ୍ୟରେ କିଛି ମିଶାଯାଇଛି। ବୋଧହୁଏ କେହି ଷଡଯନ୍ତ୍ର କରୁଛନ୍ତି।