ଇଣ୍ଡି ମେଣ୍ଟକୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ କଟାକ୍ଷ । କହିଲେ କେରଳରେ କଂଗ୍ରେସ ସ୍ଥିତି ଟଳମଟଳ, ଇଣ୍ଡି ମେଣ୍ଟରେ ଚାଲିଛି ଟଣାଓଟରା 

375

କନକ ବ୍ୟୁରୋ: କେରଳ ୱାୟନାଡ଼ ଆସନ ପାଇଁ ଇଣ୍ଡି ମେଣ୍ଟର ଦୁଇ ସହଯୋଗୀ ଦଳ କଂଗ୍ରେସ ଓ ସିପିଆଇ ପ୍ରାର୍ଥୀ  ଛିଡା  କରିବା ଘଟଣା ବେଶ ଚର୍ଚ୍ଚା ସାଉଁଟିଛି । ବିଜେପି ରଥକୁ ରୋକିବା ପାଇଁ  ଇଣ୍ଡି ମେଣ୍ଟ ଗଠନ ହୋଇଛି । ଏବେ ସେହି ମେଣ୍ଟର ସହଯୋଗୀ ଦଳ ପରସ୍ପର ବିରୋଧରେ ପ୍ରାର୍ଥୀ ଛିଡା କରିବା ଘଟଣା ବିଜେପିକୁ ଏକ ନିର୍ବାଚନୀ ଅସ୍ତ୍ର ଦେଇଛି । ଯାହାକୁ ଆଧାର କରି ଦଳ ଜୋରଦାର କରିଛି ବୟାନବାଜୀ ।  ଏହା ଭିତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଟାର୍ଗେଟ । କଟାକ୍ଷ ଆଳରେ ସ୍ମୃତି କହିଛନ୍ତି କେରଳରେ ୱାୟନାଡ଼ ଆସନକୁ ନେଇ ଦୁଇ ସହଯୋଗୀ ଦଳର ଝଗଡ଼ା ଏକ ବ୍ୟତିକ୍ରମ ଘଟଣା । ଦିଲ୍ଲୀରେ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି । କେରଳରେ ଟଣାଓଟରା ଚାଲିଛି ଓ ଆଉ କର୍ଣ୍ଣାଟକରେ ପରସ୍ପରକୁ ଠକୁଛନ୍ତି । ଯେଉଁଠି ମେଣ୍ଟରେ ମନ ମିଶୁନି, ସେଠି ଏମାନେ କି ଦେଶ କରିବେ ବୋଲି ପ୍ରଶ୍ନ କରିଛନ୍ତି ସ୍ମୃତି ଇରାନୀ ।

ସ୍ମୃତି ଇରାନୀଙ୍କ ବୟାନ ଉପରେ ସିପିଆଇର ଦୁଇ ବରିଷ୍ଠ ନେତ୍ରୀ ପ୍ରତିକ୍ରିୟା ରଖିଛି । ସୁଭାଶିନୀ ଅଲ୍ଲୀ ଓ ବିନ୍ଦ୍ରା କରାତ ଜବାବ ରଖି କହିଛନ୍ତି ଯେ ବିଜେପି ବିରୋଧୀଙ୍କୁ ଟାର୍ଗେଟ କରିବା ପୂର୍ବରୁ ପ୍ରଥମେ ନିଜ ଦୋଷ ଦୁର୍ବଳତା ଦେଖିବା ଉଚିତ । ବିରୋଧୀ ଦଳ ଦେଶକୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଛି ବିଜେପି ଦେଶକୁ ବିକିବାକୁ ଚାହୁଁଛି । ଆରଏସଏସ ଓ ବିଜେପି ବିଚାରଧାରା ବିରୋଧରେ ଇଣ୍ଡି ମେଣ୍ଟର ଲଢ଼େଇ ଜାରି ରହିବ । ଯଦିଓ କଂଗ୍ରେସ ୱାୟନାଡ ପାଇଁ ରାହୁଲଙ୍କ ଛିଡା କରୁଛି ଏହା ମେଣ୍ଟ ଉପରେ ବିଶେଷ ପ୍ରଭାବ ପକାଇବନି ।

ତେବେ ପୂର୍ବ ବର୍ଷ ଅପେକ୍ଷା ଏଥରକ ୱାୟନାଡ଼ ଆସନ ଖୁବ ଚର୍ଚ୍ଚାରେ ରହିଛି । ପ୍ରଥମ ୱାୟନାଡ଼ ଆସନ ପାଇଁ ସିପିଆଇ ଦଳର ବରିଷ୍ଠ ଆନି ରାଜାଙ୍କ ନାଁ ଘୋଷଣା କରିବା ପରେ ଆଶା କରାଯାଉଥିଲା କଂଗ୍ରେସ ହୁଏତ ନିଜ ସହଯୋଗୀ ଦଳ ସହ ପ୍ରତିଦ୍ୱନ୍ଦିତା କରିବନି ଓ ଅନ୍ୟ କୌଣସି ଆସନ ପାଇଁ ପ୍ରାର୍ଥୀ ଦେବ । କିନ୍ତୁ ନିର୍ବାଚନ ବୈତରଣୀ ପାରିହେବାକୁ ରାହୁଲଙ୍କ ପାଇଁ ୱାୟନାଡ ଆସନ ସବୁଠୁ ବଡ ଆଶା । ତେଣୁ ସିପିଆଇର ବାରଣ, ଉଭୟ ଦଳର କନ୍ଦଳ ସତ୍ୱେ ରାହୁଲଙ୍କ ନାଁ ଘୋଷଣା କରିଥିଲା କଂଗ୍ରେସ । ଇଣ୍ଡି ମେଣ୍ଟର ଦୁଇ ସହଯୋଗୀ ଦଳ ପରସ୍ପର ବିରୋଧରେ ପ୍ରାର୍ଥୀ ଛିଡା କରିବା ପରେ ଏବେ ବିଜେପିକୁ କଟାକ୍ଷ କରିବାକୁ ସୁବର୍ଣ୍ଣ ସୁଯୋଗ ମିଳିଛି କହିଲି କିଛି ଭୁଲ ହେବନି ।