ମାଆ କୋଳକୁ ଫେରିଲା ପୁଅ: ଚିକିତ୍ସାବେଳେ ଡାକ୍ତରଖାନାରୁ ହୋଇଥିଲା ଚୋରି

116

କନକ ବ୍ୟୁରୋ: କେତେ ଦିଅ ଦେବତା ପୁଜା କରି ପୁଅ ପାଇଥିଲି,ମୋ ପୁଅକୁ କେହି ମୋଠାରୁ ଅଲଗା କରି ପାରିବେନି,ବାଲେଶ୍ୱର ଶିଶୁ ଭବନରୁ ଚୋରି ହୋଇଥିବା ପିଲା ମାଆ କୁଳକୁ ଫେରିବା ପରେ ଏମିତି କହିଛନ୍ତି,ଚୋରି ହୋଇଥିବା ପୁଅର ମାଆ ଓ ପରିବାର ଲୋକେ,ବାଲିଆପାଳରୁ ଦେଖିବା ଏହି ଚାଞ୍ଚଲ୍ୟକର ଖବାର ।

ମାଆ ମୁହଁକୁ ଫେରିଛି ହସ । କୋଳରେ ନିଜ ଶିଶୁକୁ ଫେରି ପାଇ ଆଜି ଖୁସିରେ ବିଭୋର ହୋଇପଡିଛି ମାଆ ଟି । ଖାଲି ମାଆ କାହିଁକି ପୁରା ପରିବାରରେ ଖୁସିର ମାହୋଲ । ୨ ଦିନ ତଳେ ଡାକ୍ତରଖାନାରୁ ଚୋରି ହୋଇଥିବା ନିଜ ନବଜାତ ସନ୍ତାନ ପାଇବା ପରେ ଏବେ ଘରେ ଉତ୍ସବର ମାହୋଲ । ବନ୍ଦାପନା ସହ ଶିଶୁ ପୁଅକୁ ଘରକୁ ପାଛୋଟି ନେଉଛନ୍ତି ପରିବାର ଲୋକ । ଖାଲି ସେତିକି ନୁହେଁ ଭଗବନାଙ୍କ ନିକଟରେ ଧନ୍ୟବାଦ ଜଣାଉଛନ୍ତି । ଭଗବାନ ଶ୍ରୀକୃଷ୍ଣ ଯେପରି ମାଆ କୋଳରୁ ଦୂରେଇ ଯାଇ ପୁଣି ଫେରି ଆସିଥିଲେ, ଠିକ୍ ସେମିତି ଏହି ଶିଶୁ ପୁତ୍ରଟି ନିଜ ମାଆ କୋଳକୁ ଫେରି ଆସିଥିବାରୁ ତାର ନାଁ କାହ୍ନା ଦେଇଛନ୍ତି ।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଆଠବାଟିଆ ଗାଁର ଶୁଶାନ୍ତ କୁମାର ବାରିକଙ୍କ ସ୍ତ୍ରୀ ଟିକିଲି ରାଣୀ ବାରିକ ୬ ଦିନ ତଳେ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ପିଲାଟି ଜନ୍ମ ହେବା ପରେ ଜଣ୍ଡିସ ରୋଗର ଆକ୍ରାନ୍ତ ହୋଇଥିଲା । ଫଳରେ ଶିଶିଟିକୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟର ଶିଶୁ ଭବନ ଏସଏନସିଓରେ ଭର୍ତି କରାଯାଇଥିଲା । ମାତ୍ର ଗତ ଗୁରୁବାର ଦିନ ୧୨ଟାବେଳେ ଟିକିଲି ଏସଏନସିଓର ବାହାରକୁ ଆସିଥିବାବେଳେ ତାଙ୍କ ନବଜାତକୁ କେହି ନେଇ ଯାଇଥିବା ଅଭିଯୋଗ ହୋଇଥିଲା । ଡାକ୍ତରଖାନା କର୍ତୃପକ୍ଷ ବି କେହି ପିଲାକୁ ନେଇ କିଛି ତଥ୍ୟ ଦେଇ ପାରି ନଥିଲେ । ବହୁ ଖୋଜାଖୋଜି ପରେ ରେମୁଣା ବ୍ଲକ ଦୁର୍ଗାଦେବୀ ଅଞ୍ଚଳରେ ଜଣେ ମହିଳାଙ୍କ ନିକଟରୁ ଶିଶୁ ପୁତ୍ରଟି ମିଳିଥିଲା । ତେବେ ଏଭଳି ଘଟଣାରି ନେଇ ଡାକ୍ତରଖାନା କର୍ତୃପକ୍ଷ ଓ ସ୍ୱାସ୍ଥ୍ୟ ବିଭାଗକୁ ଦାୟୀ କରିଛନ୍ତି ସାମାଜିକ କର୍ମୀ । ଡାକ୍ତରଖାନାରୁ ଚୋରି ହୋଇଥିବା କାହ୍ନା ଶୁରକ୍ଷିତ ଭାବରେ ଘରେ ପହଞ୍ଚି ଥିବାରୁ ଖୁଶିରେ ଆତ୍ମହରା ପରିବାର ଲୋକେ ।