ବୁନ୍ଦେଲଖଣ୍ଡର ଗରିବ ମହିଳା କଳାବତୀଙ୍କ ଘଟଣାକୁ ନେଇ ରାହୁଲ ଗାନ୍ଧୀଙ୍କୁ ଘେରିଲେ ଅମିତ ଶାହା । କହିଲେ, ରାହୁଲ ଯାହା ଘରେ ଖାଇଲେ ମୋଦୀ…..

160

କନକ ବ୍ୟୁରୋ : ସଂସଦରେ ଆଜି ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ପ୍ରଥମେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବାର କିଛି ସମୟ ପରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ କଂଗ୍ରେସ ଓ ଅନ୍ୟ ବିରୋଧୀଦଳଙ୍କୁ ଟାର୍ଗେଟ କରି ସଂସଦରେ ନିଜର ବୟାନ ରଖିଛନ୍ତି । ଏହି କ୍ରମରେ ଅମିତ ଶାହା ରାହୁଲ ଗାନ୍ଧୀତଙ୍କ ନାମ ନନେଇ ତାଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି କଂଗ୍ରେସର ଜଣେ ଏଭଳି ନେତା ଅଛନ୍ତି ଯାହାଙ୍କୁ ୧୩ ଥର ଲଂଚ୍ କରାଯାଇଥିଲେ ବି ସେ ସବୁଥର ଫେଲ ହେଉଛନ୍ତି । ଏହାସହ ସେ ବୁନ୍ଦେଲଖଣ୍ଡର ଗରିବ ମହିଳା କଳାବତୀଙ୍କ କଥା ଉଦହରଣ ଭାବେ ନେଇଛନ୍ତି । ସେ କହିଛନ୍ତି କି ବୁନ୍ଦେଲଖଣ୍ଡର ଯେଉଁ ଗରିବ ମହିଳା କଳାବତୀଙ୍କ ଘରେ ରାହୁଲ ଗାନ୍ଧୀ ଖାଇଥିଲେ ସେହି ମହିଳାଙ୍କ ପାଇଁ ରାହୁଲ ଗାନ୍ଧୀ କ’ଣ କରିଛନ୍ତି । ସେତେବେଳେ କେନ୍ଦ୍ରରେ ୬ବର୍ଷ ଧରି କଂଗ୍ରେସର ସରକାର ଥିଲେ ବି କଳାବତୀଙ୍କ ପାଇଁ କିଛି ସ୍ୱତନ୍ତ୍ର ପ୍ରୋତ୍ସାହନ କଂଗ୍ରେସ କିମ୍ବା ରାହୁଲ ଗାନ୍ଧୀ କରିପାରିନଥିଲେ । ହେଲେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ ହେବା ପରେ କଳାବତୀଙ୍କ ଘରକୁ ବିଜୁଳି ଯୋଗଣ, ଶୌଚାଳୟ ଓ ମାଗଣା ରାସନ ଯୋଗାଇ ଦିଆଯାଉଛି ।

ସେପଟେ ପରିବାର ବାଦ, ଭ୍ରଷ୍ଟାଚାର ଓ ତୃଷ୍ଟିକରଣ ରାଜନୀତିକୁ ନେଇ ମଧ୍ୟ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ । ସେ କହିଛନ୍ତି କି ମହାତ୍ମା ଗାନ୍ଧୀ ନାରା ଦେଇଥିଲେ ଇଂରେଜ ଭାରତ ଛାଡ । ହେଲେ ୯ବର୍ଷର ଶାସନ କାଳ ମଧ୍ୟରେ ମୋଦୀଙ୍କ ନାରା ଦେଶରୁ ପରିବାରବାଦ, ଭ୍ରଷ୍ଟାଚାର ଓ ତୃଷ୍ଟିକରଣ ରାଜନୀତି ଛାଡ । ମୋଦୀଜୀ ୯ବର୍ଷର ଶାସନକାଳ ମଧ୍ୟରେ ପଲିଟିକ୍ସ ଅଫ୍ ପରଫରମାନ୍ସକୁ ସ୍ୱୀକୃତି ଦେଇଛନ୍ତି ବୋଲି ଶାହା କହିଛନ୍ତି ।