ଅନ୍ଧାରରେ ସ୍ମାର୍ଟ ସିଟି ଭୁବନେଶ୍ୱର । ଝଡ, ବର୍ଷା ଓ ପବନ ଯୋଗୁଁ ୫ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ କାଟ୍ । ବିଦ୍ୟୁତ ଅଫିସରେ ଲୋକଙ୍କ ଭଙ୍ଗାରୁଜା

115

କନକ ବ୍ୟୁରୋ: କାଳବୈଶାଖୀ ବର୍ଷାରେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ବିଜୁଳି ଗାୟବ । ଗୁରୁବାର ପ୍ରାୟ ୪ଟାବେଳେ ରାଜଧାନୀରେ ଝଡ ବର୍ଷା ଓ ପବନ ଯୋଗୁଁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । କିନ୍ତୁ ରାଜଧାନୀର ବିଭିନ୍ନ ସ୍ଥାନରେ ଦୀର୍ଘ ୫ ଘଣ୍ଟାରୁ ଅଧିକ ସମୟ ଧରି ବିଜୁଳି ଗାଏବ ହୋଇଯାଇଥିଲା । ପବନ ଯୋଗୁଁ ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଡିଯାଇଥିଲା । ଫଳରେ ଦୁଇ ନମ୍ବର ମାର୍କେଟ, ଆଇଜି ପାର୍କ. ମାର୍କେଟ ବିଲଡିଙ୍ଗ, ମାଷ୍ଟର କ୍ୟାଂଟିନକୁ ଲାଗି ରହିଥିବା ସରକାରୀ କ୍ୱାର୍ଟର ଓ ରାଜମହଲ ଅଚଂଳରେ ବିଜୁଳି ନଥିଲା । ରସୁଲଗଡ ଅଞ୍ଚଳର ପଳାଶୁଣି, ଜିଜିପି କଲୋନୀ ଅଞ୍ଚଳରେ ବି ବିଦ୍ୟୁତ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଲୋକେ ହଇରାଣ ହୋଇଛନ୍ତି ।

ଦୀର୍ଘ ୫ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ ଠପ୍ ହୋଇଯିବା ପରେ ଶକ୍ତି ବିଭାଗ ଟ୍ୱିଟ କରି ଯୁଦ୍ଧକାଳୀନ ଭିତିରେ ବିଦ୍ୟୁତ ସେବା ଯୋଗାଇଦେବାକୁ ଟିପିସିଏଲକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିଭଳି ଜୟଦେବ ବିହାର ଓ ସଚିବାଳୟ ପଛପଟେ ବି ବିଦ୍ୟୁତ ସରବରାହ ଠପ୍ ରହିଥିଲା । କିଛି ସ୍ଥାନରେ ବିଦ୍ୟୁତ ଆସିଥିବାବେଳେ ଆଉ କିଛି ସ୍ଥାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଦ୍ୟୁତ ସହବରାହ ବନ୍ଦ ରହିଥିଲା ବୋଲି ଜଣାପଡ଼ିଛି ।