ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ ରାଷ୍ଟ୍ରପତି : ଅପରାହ୍ଣରେ ବିଭିନ୍ନ ବର୍ଗର ଲୋକଙ୍କୁ କରିବେ ସାକ୍ଷାତ

138

କନକ ବ୍ୟୁରୋ : ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟସୂଚୀରେ ଦୁଇଟି କାର୍ଯ୍ୟକ୍ରମ ଯୋଡି ହୋଇଯାଇଛି । ସକାଳେ ରାଇରଙ୍ଗପୁର ମୁର୍ମୁ ଛକ ନିକଟରେ ଥିବା ଶିବମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ଏହାପରେ ଦାଣ୍ଡବୋଷ ଯାଇ ସେଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜି ଅର୍ପଣ କରିବେ । ସେଠାରୁ ୯ଟା ୧୫ରେ ହେଲିପ୍ୟାଡ୍ ଯୋଗେ ଯଶିପୁର ଯିବେ ।

ଦିନ ୧୦ଟାରେ ସଡ଼କପଥରେ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ । ଅପରାହ୍ଣରେ ବାରିପଦା ଗେଷ୍ଟ ହାଉସରେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବେ । ରାତ୍ରିଭୋଜନ ପରେ ସେଠାରେ ବିଶ୍ରାମ ନେବେ ମହାମହିମ । ଆସନ୍ତାକାଲି ସକାଳ ୯ଟାରୁ ୯ଟା ୪୦ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଲୋକଙ୍କ ସହିତ ଭେଟିବାର କାର୍ଯ୍ୟକ୍ରମ ରହିଛି । ଦିନ ୧୦ଟ।ରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ମଧ୍ୟାହ୍ନ ୧୨ଟା ୧୫ରେ ବିଶ୍ୱବିଦ୍ୟାଳୟରୁ ବାହାରି ଦିଲ୍ଲୀ ଅଭିମୁଖେ ଫେରିଯିବେ ।

ରାଷ୍ଟ୍ରପତି ପଶ୍ଚିମବଙ୍ଗର କଲେଇକୁଣ୍ଡାରୁ ସ୍ବତନ୍ତ୍ର ହେଲିପକ୍ଟର ଯୋଗେ ଆସି ରାଇରଙ୍ଗପୁର ନିକଟ ହେଲିପ୍ୟାଡରେ ପହଞ୍ଚିଥିଲେ । ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ରାଷ୍ଟ୍ରପତିଙ୍କୁ ସ୍ବାଗତ ଜଣାଇଥିଲେ । ରାଷ୍ଟ୍ରପତି ହେଲିପ୍ୟାଡ୍‌ରୁ ‌କାର୍‌କେଡ୍‌ରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା । ହେଲେ, ସ୍ବତନ୍ତ୍ର ଗାଡ଼ିରେ ନ ବସି ସେ ହେଲିପ୍ୟାଡ୍‌ ଚାରିପାଖରେ ଟାଣଖରା ସତ୍ତ୍ବେ ତାଙ୍କୁ ଅପେକ୍ଷା କରି ରହିଥିବା ଆପଣାର ଲୋକଙ୍କ ପାଖ‌କୁ ଟାଣି ହୋଇଯାଇଥିଲେ । ବ୍ୟାରିକେଡ୍‌ କଡ଼ରେ ଚାଲିଚାଲି ସମସ୍ତଙ୍କୁ ନମସ୍କାର ଜଣାଇବା ସହ ଅଭିବାଦନ ଗ୍ରହଣ କରିଥିଲେ । ମୁଖ୍ୟ ରାସ୍ତାରେ ମଧ୍ୟ ସେ କିଛି ବାଟ ଚାଲିଚାଲି ଯାଇ ଲୋକଙ୍କୁ ଭେଟିଥିଲେ ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ କାର୍‌କେଡ୍‌ରେ ବାଦାମପାହାଡ଼ସ୍ଥିତ ବନଦୁର୍ଗା ମନ୍ଦିର ନିଆଯାଇଥିଲା । ଦେବୀଙ୍କ ଦର୍ଶନ ଓ ପୂଜା ସାରି ସେ ପାହାଡ଼ପୁରକୁ ଯାଇଥିଲେ । ସେଠାରେ ଦକ୍ଷତା ବିକାଶ କେନ୍ଦ୍ରର ଶିଳାନ୍ୟାସ ଏବଂ ଗୋସାଣିରେ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ରାଷ୍ଟ୍ରପତି ଅଞ୍ଚଳବାସୀଙ୍କୁ ବସ୍ତ୍ର ଉପହାର ଦେଇଥି‌ଲେ । ଅନେକ ଶୁଭେଚ୍ଛୁ ମଧ୍ୟ ତାଙ୍କୁ ଉପହାର ପ୍ରଦାନ କରିଥିଲେ । ପରେ ସେ ସ୍ବାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଏକ ‌ଗୋଷ୍ଠୀ କେନ୍ଦ୍ରର ଶିଳାନ୍ୟାସ କରିଥିଲେ ।