ସମ୍ଭାବ୍ୟ ବାତ୍ୟା : ୭ରେ ଲଘୁଚାପ ଓ ୮ରେ ବାତ୍ୟାର ରୂପ ନେଇପାରେ ଘୂର୍ଣ୍ଣିବଳୟ; କେତେ ଶକ୍ତିଶାଳୀ ହେବ, ଗତିପଥ କ’ଣ ହେବ, ହୋଇନି ସ୍ପଷ୍ଟ

1,900

କନକ ବ୍ୟୁରୋ : ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗର ତାଜା ଆକଳନ ଭୟ ବଢ଼ାଇଲା ଭଳି । କାରଣ ଆଇଏମଡି କହିଛି, ବଙ୍ଗୋପସାଗରରେ ବାତ୍ୟା ଭୀଷଣ ରୂପ ନେଇପାରେ । ୬ତାରିଖରେ ଘୂର୍ଣ୍ଣିବଳୟ, ୭ତାରିଖରେ ଲଘୁଚାପ ଓ ୮ ତାରିଖରେ ଅବପାତ ରୂପ ନେବ ଘୂର୍ଣ୍ଣିବଳୟ । ଏହାପରେ ଅବପାତଟି ଆହୁରି ଘନୀଭୂତ ହେବ ଓ ବାତ୍ୟା ରୂପରେ ଉତର ଦିଗରେ ଗତି କରିବ ।

ତେବେ ବାତ୍ୟାଟି କେତେ ଘନୀଭୂତ ହେବ, ଏହାର ଗତିପଥ କିଭଳି ରହିବ ଓ ତୀବ୍ରତା କେତେ ରହିବ, ତାହା ଲଘୁଚାପ ପରେ ସ୍ପଷ୍ଟ ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ସେପଟେ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିଛି । କାଳବୈଶାଖୀ ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ପବନର ବେଗ ଘଂଟାପ୍ରତି ୩୦ରୁ ୪୦ କିଲୋମିଟର ରହିବ ।

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ମୟୂରଭଞ୍ଜ, କନ୍ଧମାଳ, କେନ୍ଦୁଝର ଓ ନବରଙ୍ଗପୁର ଆଦି ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତାକାଲି ଠାରୁ ଖରାର ମାତ୍ରା ବଢ଼ିବ ଓ ଦିନର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।