ଅମ୍ପାୟାରଙ୍କ ନିଷ୍ପତ୍ତି, ପାକିସ୍ତାନର ଆପତ୍ତି । ଟିମ୍ ଇଣ୍ଡିଆର ବିଜୟକୁ ସହିପାରୁନି ପାକିସ୍ତାନ, ସୋସିଆଲ ମିଡ଼ିଆରେ ବିଳିବିଳାଇଲେ ରାୱଲପିଣ୍ଡି ଏକ୍ସପ୍ରେସ ।

1,472

କନକ ବ୍ୟୁରୋ : ମେଲବୋର୍ଣ୍ଣରେ ଟିମ୍ ଇଣ୍ଡିଆର ମହାବିଜୟ ପରେ ବିଳିବିଳାଉଛି ପାକିସ୍ତାନ । ବିଜୟ ସହ ଟିମ୍ ଇଣ୍ଡିଆ ବିଶ୍ୱକପ ଅଭିଯାନ ଆରମ୍ଭ କରିଥିବା ବେଳେ ପରାଜୟକୁ ସ୍ୱୀକାର କରିବା ପରିବର୍ତ୍ତେ ପାକିସ୍ତାନ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଉଠାଇଛି ଆପତ୍ତି । ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କ ସମେତ ପାକିସ୍ତାନ କ୍ରିକେଟ ପ୍ରଂଶସକ ଶେଷ ଓଭରର ନୋ ବଲକୁ ନେଇ ଆପତ୍ତି ଉଠାଇବା ସହ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ରାୱଲପିଣ୍ଡି ଏକ୍ସପ୍ରେସ୍ ସୋଏବ ଅଖତର କୋହଲିଙ୍କର ଏକ ଫଟୋ ସେୟାର କରି କହିଛନ୍ତି, ଏହି ବଲ ଠିକ୍ ବଲ ଥିଲା । ଅମ୍ପାୟାର ଭାଇ, ଆଜି ରାତିରେ ଭାବିବା ପାଇଁ ଆପଣଙ୍କ ଖାଦ୍ୟ ।

ସେହିଭଳି ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ରମିଜ ରାଜା ଟ୍ୱିଟ୍ କରି କହିଛନ୍ତି, କ୍ଲାସିକ ମ୍ୟାଚ୍ । ଯଦି ଆପଣ କିଛି ମ୍ୟାଚରେ ବିଜୟୀ ହୁଅନ୍ତି ତେବେ କିଛି ମ୍ୟାଚରେ ପରାଜିତ ମଧ୍ୟ ହୁଅନ୍ତି । ଆମେ ସମସ୍ତେ ଜାଣିଛେ ଏହି ମ୍ୟାଚ୍ କ୍ରୁର ଓ ଅନୁଚିତ୍ ହୋଇପାରେ । ପାକିସ୍ତାନ ଟିମ୍ ଉଭୟ ବୋଲିଂ ଓ ବ୍ୟାଟିଂରେ ଏହାଠାରୁ ଭଲ କିଛି କରିପାରିନଥାନ୍ତା । ଏଭଳି ପ୍ରୟାସ ପାଇଁ ପାକିସ୍ତାନ ଟିମ୍ ପ୍ରଂଶସାଯୋଗ୍ୟ । ଏଭଳି କହି ଅମ୍ପାୟରଙ୍କ ନିଷ୍ପତ୍ତି ଓ ଭାରତର ବିଜୟକୁ ପରୋକ୍ଷରେ ତୀର ମାରିଛନ୍ତି ରମିଜ ରାଜା ।

ତେବେ ଶେଷ ଓଭରରେ ନୋ ବଲକୁ ନେଇ କାହିଁକି ବିବାଦ ଉଠିଥିଲା ତାହା ଜାଣିବା ନିହାତି ଆବଶ୍ୟକ । ରୋମାଞ୍ଚକର ମୁକାବିଲାରେ ଭାରତକୁ ଶେଷ ଓଭରରେ ବିଜୟ ପାଇଁ ୧୬ ରନର ଆବଶ୍ୟକ ରହିଥିଲା । କ୍ରିଜରେ ଥିଲେ ହାର୍ଦ୍ଦିକ ଓ କୋହଲି । ଅନ୍ୟପଟେ ପାକିସ୍ତାନ ପକ୍ଷରୁ ଶେଷ ଓଭର ବୋଲିଂ କରିଥିଲେ ମହମ୍ମଦ ନୱାଜ । ପ୍ରଥମ ବଲରେ ପାଣ୍ଡ୍ୟା ଆଉଟ ହୋଇ ପ୍ୟାଭିଲିୟନ ଫେରିଥିବା ବେଳେ ଦ୍ୱିତୀୟ ବଲରେ କାର୍ତ୍ତିକ ଏକ ରନ୍ କରି କୋହଲିଙ୍କୁ ଷ୍ଟ୍ରାଇକ ଦେଇଥିଲେ । ପରବର୍ତ୍ତୀ ବଲରେ କୋହଲି ଦୁଇ ରନ୍ ନେଇ ଷ୍ଟ୍ରାଇକ ନିଜ ପାଖେ ରଖିଥିଲେ । ୩ ବଲରୁ ଆବଶ୍ୟକ ଥିଲା ୧୩ ରନ୍ । ପରବର୍ତ୍ତୀ ବଲରେ କୋହଲି ଅଣ୍ଟା ଉପରକୁ ଆସୁଥିବା ବଲକୁ ବିଶାଳ ଛକା ମାରିଥିଲେ, ଅମ୍ପାୟାର ମଧ୍ୟ ଏହି ବଲକୁ ନୋ ବଲ ଡାକିଥିଲେ । ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଆପତ୍ତି ଉଠାଇଥିଲେ ପାକିସ୍ତାନ ଅଧିନାୟକ ବାବର ଆଜମ । ଟିଭି ରିପ୍ଲେରେ ବଲଟି କୋହଲିଙ୍କ ଅଣ୍ଟା ଉପରକୁ ପଡୁଥିବାର ଦେଖିବାକୁ ମିଳିଥିବା ବେଳେ ପାକିସ୍ତାନ ଖେଳାଳୀ କିନ୍ତୁ ପ୍ରଥମେ ଏଭଳି ନିଷ୍ପତ୍ତିକୁ ନେଇ ଅମ୍ପାୟାରଙ୍କ ସହ ଯୁକ୍ତି କରିଥିଲେ । ତେବେ ଶେଷରେ ଅମ୍ପାୟାରଙ୍କ ନିଷ୍ପତ୍ତି ହିଁ କାଏମ ରହିଥିଲା । ଯାହାର ଫାଇଦା ଟିମ୍ ଇଣ୍ଡିଆକୁ ମିଳିଥିଲା । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର ଓ ପ୍ରଂଶସକ । ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଆଲୋଚନା କରିବା ସହ ବିସିସିଆଇ ଓ ଆଇସିସି ଉପରେ ବର୍ଷିଛନ୍ତି ।

ଅନ୍ୟପଟେ ଏହି ମ୍ୟାଚରେ ବିଜୟ ସହ ଭାରତ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି । ଏହାସହ ଗତବର୍ଷ ଟି-୨୦ ବିଶ୍ୱକପ ପରାଜୟର ପ୍ରତିଶୋଧ ମଧ୍ୟ ନେଇଛି । କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ଧୂଆଁଧାର ଇନିଂସ ଭାରତକୁ କେବଳ ବିଜୟ ଭେଟି ଦେଇନାହିଁ ବରଂ କୋଟି କୋଟି ଭାରତୀୟ କ୍ରିକେଟପ୍ରେମୀଙ୍କ ମନ ଜିଣିଛି । ବିରାଟଙ୍କ ମ୍ୟାଚ୍ ବିଜୟୀ ଇନିଂସକୁ ନେଇ ଅଧିନାୟକ ରୋହିତ ଶର୍ମା ବେଶ ପ୍ରଂଶସା କରିଛନ୍ତି । ରୋହିତ କହିଛନ୍ତି, ସଙ୍କଟ ସମୟରେ ଏଭଳି ଇନିଂସ ଖେଳିବା ଏତେ ସହଜ ହୋଇନଥାଏ । ଆଉ ଏଭଳି ଇନିଂସ ପାଇଁ କୋହଲିଙ୍କୁ ସଲାମ ।