ଅଶ୍ଳୀଳ ଭିଡିଓ ମାମଲା, ରାଜକୁନ୍ଦ୍ରାଙ୍କ ପାଇଁ ବଢିଲା ଅଡୁଆ । କମ୍ପାନୀର ୪ ଜଣ ପୂର୍ବତନ କର୍ମଚାରୀଙ୍କ ସାକ୍ଷୀ ପରେ ଖୋଲିଲା ରହସ୍ୟ

189

କନକ ବ୍ୟୁରୋ : ଅଶ୍ଳୀଳ ଭିଡିଓ ମାମଲାରେ ରାଜ କୁନ୍ଦ୍ରାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଏହି ମାମଲାରେ ଏବେ କୁନ୍ଦ୍ରାଙ୍କ କମ୍ପାନୀର ୪ ଜଣ ପୂର୍ବ କର୍ମଚାରୀ ସାକ୍ଷୀ ଦେଇଛନ୍ତି । ସେମାନଙ୍କ ସାକ୍ଷୀ ପରେ ମାମଲା ପୁଣି ଏକ ନୂଆମୋଡ ନେଇଛି ।

କ୍ରାଇମବ୍ରାଞ୍ଚ ମୁତାବକ ରାଜକୁନ୍ଦ୍ରାଙ୍କ ବିରୋଧରେ ଏକ ବଡ ପ୍ରମାଣ ହାତକୁ ଆସିଛି । କୁନ୍ଦ୍ରାଙ୍କ କମ୍ପାନୀର ୪ ଜଣ ପୂର୍ବତନ କର୍ମଚାରୀ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ତାଙ୍କର ବୟାନ ରେକର୍ଡ କରାଇଛନ୍ତି । ପ୍ରଥମେ ବୟାନ ରେକର୍ଡ କରାଇଥିବା ଚାଟାର୍ଡ ଆକାଉଣ୍ଟାଟ ବାଲାନ୍ସ ସିଟ ସହିତ ଜଡିତ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି । ଦ୍ୱିତୀୟ ସାକ୍ଷୀ ଭାବେ କମ୍ପାନୀୟ ପୂର୍ବତନ ଫାଇନାନ୍ସ ପରିଚାଳକ ଅର୍ଥ କାରବାର ନେଇ ସମସ୍ତ ସୂଚନା ଦେଇଛନ୍ତି । ଦେଶ ବାହାରକୁ ଅର୍ଥ କାରବାର ନେଇ ସାକ୍ଷୀ ସୂଚନା ଦେବା ପରେ କ୍ରାଇମବ୍ରାଞ୍ଚକୁ ଅନେକ ତଥ୍ୟ ମିଳିପାରିଛି । ଅନ୍ୟ ଦୁଇଜଣ ସାକ୍ଷୀ ଟେକ୍ନିକାଲ କ୍ଷେତ୍ର ସହିତ ଜଡିତ ଥିଲେ । ଏମାନେ କମ୍ପାନୀର ଟେକ୍ନିକାଲ ସପୋର୍ଟ, ଆପ୍ ମେଣ୍ଟେନାନ୍ସ, ଡାଟା ଡିଲିଟ ସହ ଅନ୍ୟ ଟେକ୍ନିକାଲ ଇସ୍ୟୁ ଉପରେ ସୂଚନା ଦେଇଛନ୍ତି ।

ମୁମ୍ବାଇ ପୋଲିସର ସୂଚନା ମୁତାବକ ସବୁ ସାକ୍ଷୀମାନେ ରାଜ କୁନ୍ଦ୍ରାଙ୍କ ବାବଦରେ ମହତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଏହି ସୂଚନାକୁ ଆଧାର କରି ପୋଲିସ ଏହି ମାମଲାରେ ଅନେକ ସଫଳତା ହାସଲ କରିପାରିବ ବୋଲି କୁହାଯାଇଛି । ଅନ୍ୟପଟେ ସାକ୍ଷୀଙ୍କ ବୟାନ କୋର୍ଟରେ ରାଜ କୁନ୍ଦ୍ରାଙ୍କ ମାମଲାକୁ ଆହୁରି ଜଟିଳ କରିଛି । ଏସବୁକୁ ନଜର କଲେ ରାଜ କୁନ୍ଦ୍ରାଙ୍କ ପାଇଁ ଅଡୁଆ ବଢୁଛି ସିନା କମିବାର ନାଁ ନେଉନଥିବା ଦେଖିବାକୁ ମିଳିଛି ।