ସଫଳ ହେଲା ଦ୍ୱାଦଶ ପର୍ଯ୍ୟାୟ ବୈଠକ, ପୂର୍ବ ଲଦାଖର ଗୋଗ୍ରା ଶୀଖରରୁ ପଛକୁ ହଟିଲେ ଉଭୟ ଦେଶର ସେନା

184

କନକ ବ୍ୟୁରୋ : ଭାରତ ଓ ଚୀନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ନେଇ ଦ୍ୱାଦଶ ପର୍ଯ୍ୟାୟ ବୈଠକର ସଫଳତା ଏବେ ଦେଖିବାକୁ ମିଳିଛି । ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ ଏବେ ଉଭୟ ଦେଶର ସେନା ପୂର୍ବ ଲଦାଖର ଗୋଗ୍ରା ଶୀଖର ଅଞ୍ଚଳରୁ ପଛକୁ ହଟିଛନ୍ତି । ଏହାସହ ଉଭୟ ଦେଶର ସେନା ଦ୍ୱାରା ସେଠାରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ଷ୍ଟ୍ରକଚର ବି ହଟାଇ ଦିଆଯାଇଛି । ଏହାସହ ସେନା ପକ୍ଷରୁ କୁହାଯାଇଛି କି, ଉଭୟ ଭାରତ ଓ ଚୀନ ପର୍ଯ୍ୟାୟକ୍ରମେ ସମନ୍ୱିତ ଏବଂ ଯାଂଚ ଢଙ୍ଗରେ ଗୋଗ୍ରାର ସମ୍ମୁଖ ସାମ୍ମୁଖ୍ୟରେ ସେନା ମୁତୟନ ବନ୍ଦ କରିଦେଇଛନ୍ତି । ଏଥି ସହିତ ଉଭୟ ପକ୍ଷ ଦ୍ୱାରା ନିର୍ମାଣ ହୋଇଥିବା ସମସ୍ତ ଅସ୍ଥାୟୀ ଷ୍ଟ୍ରକଚର ନଷ୍ଟ କରାଯାଇ ଉଭୟ ପକ୍ଷ ଯାଂଚ କରିଛନ୍ତି ।

ସେନା ପକ୍ଷରୁ ଜାରି କରାଯାଇଥିବା ବୟାନରେ ଆହୁରି କୁହାଯାଇଛି କି, ଦ୍ୱାଦଶ ପର୍ଯ୍ୟାୟ ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ ଭାରତ-ଚୀନ ସୀମାକ୍ଷେତ୍ର ପଶ୍ଚିମ ସେକ୍ଟର ଏଲଏସିର ଶେଷ ସ୍ଥାନରେ ଉତ୍ତେଜନା ହ୍ରାସ କରିବାକୁ ବିଚାରର ସ୍ପଷ୍ଟ ଆଦାନ ପ୍ରଦାନ କରାଯାଇଥିଲା । ଉଭୟ ପକ୍ଷ ଗୋଗ୍ରା ଶୀଖରରୁ ସେନା ପ୍ରତ୍ୟାହାର କରିବା ନେଇ ସହମତି ପ୍ରକାଶ କରିଥିଲେ । ନିଷ୍ପତ୍ତି ମୁତାବକ ପର୍ଯ୍ୟାୟକ୍ରମେ ଉଭୟ ପକ୍ଷ ଏହି ସ୍ଥାନରେ ସେନା ନିୟୋଜନ କରିବା ବନ୍ଦ କରିଦେବେ । ଅଗଷ୍ଟ ୪ ଓ ୫ ତାରିଖରେ ଏହି ସେନା ପ୍ରତ୍ୟାହାର କାର୍ଯ୍ୟ ଆରମ୍ଭ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀ ଅବସରରେ ଜୁଲାଇ ୧୪ ରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ତାଙ୍କ ଚୀନପ୍ରତିପକ୍ଷ ୱାଙ୍ଗ ୟି ସାକ୍ଷାତ କରିବା ପରେ ସର୍ବଶେଷ ପର୍ୟ୍ୟାୟ ଆଲୋଚନା ହୋଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର  ଦୁଶାଂବେରେ ଏକ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀ ଅବସରରେ ଏକ ଘଣ୍ଟା ଧରି ଚାଲିଥିବା ବୈଠକ ସମୟରେ ତାଙ୍କ ଚୀନ୍ ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ କହିଥିଲେ ଯେ ପ୍ରକୃତ ନିୟନ୍ତ୍ରଣ ରେଖା ସହିତ ସ୍ଥିତିରେ କୌଣସି ଏକତରଫା ପରିବର୍ତ୍ତନ ଭାରତ ପାଇଁ “ଗ୍ରହଣୀୟ ନୁହେଁ” ଏବଂ ପୂର୍ବ ଲଦାଖରେ ଶାନ୍ତିର ସମ୍ପୂର୍ଣ୍ଣ ପୁନରୁଦ୍ଧାର ପରେ ହିଁ ସମ୍ପର୍କ ସାମଗ୍ରିକ ଭାବରେ ବିକଶିତ ହୋଇପାରିବ।