ପାଣି ପାଇଁ ବ୍ଲକ ଅଫିସରେ ତାଲା । ହାଣ୍ଡି ମାଠିଆ ଧରି ମହିଳାଙ୍କ ଧାରଣା । ଲିଖିତ ପ୍ରତିଶ୍ରୁତି ଦାବି

41

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ପ୍ରବଳ ତାତି ଭିତରେ ଚିତ୍ରକୋଣ୍ଡା ସଦର ମହକୁମାରେ ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ପାଣି ସମସ୍ୟାର ସମାଧାନ ନକରିବା ଯୋଗୁଁ ଅଞ୍ଚଳର ମହିଳାମାନେ ଏକତ୍ରିତ ହୋଇ ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟର ମେନଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି । ବର୍ଷ ବର୍ଷ ଧରି ପାଣି ସମସ୍ୟ।। ଲାଗି ରହିଥିଲେ ମଧ୍ୟ ପ୍ରଶାସନ କିଛି ସମାଧାନ କରୁନଥିବା ଅଭିଯୋଗ କରିବା ସହ ଖାଲି ଗରା ରଖି ପ୍ରତିବାଦ କରିଛନ୍ତି ମହିଳା ।

ଅନ୍ୟପଟେ ସେହି ମାଲକାନଗିରିର କାଲିଳେଳା ବ୍ଲକ ଅଫିସରୁ ଆସିଛି ଖବର । ପ୍ରବଳ ଖରାରେ ହାଣ୍ଡି ମାଠିଆ ଧରି କାଲିମେଳା ବ୍ଲକ ଘେରାଉ କରିଛନ୍ତି ଚିତ୍ରାଙ୍ଗପାଲୀ ପଞ୍ଚାୟତ ଅନ୍ତର୍ଗତ ସୁପାଲୁ ଗାଁର ମହିଳା । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ୧୨୦ ପରିବାର ପାଇଁ ଅଛି ୪ଟି ନଳକୂଅ । ଦୀର୍ଘ ଦିନ ହେବ ୩ଟି ଅଚଳ ହୋଇପଡିଛି । ତେଣୁ ପାଣି ପାଇଁ କାଲିମେଳା ବ୍ଳକକୁ ଆସିଥିବା ଅଭିଯୋଗ କରିଛନ୍ତି ସୁପାଲୁ ଗାଁର ମହିଳା । ସେପଟେ ତୁରନ୍ତ ସଂପୃକ୍ତ ଗାଁକୁ ଏକ ଟିମ୍ ପଠାଇ ଜଳ ସମସ୍ୟାର ସମାଧାନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ବିଡ଼ିଓ ପ୍ରଦୀପ କର ।

ଜଳ ଯନ୍ତ୍ରଣା ସାରା ରାଜ୍ୟରେ ଅଛି କହିଲେ ଚଳେ । ଉପକୂଳରୁ ଉପାନ୍ତ ସବୁଆଡୁ ଜଳ ଯାତନାର ଚିତ୍ର ଆସୁଛି । ସକାଳ ହେବା କ୍ଷଣି ରାସ୍ତାକଡରେ ଥିବା ନଳକୂପ ପାଖରେ ମହିଳାଙ୍କ ଭିଡ଼ ଲାଗୁଛି । ୬୦ଟି ପରିବାର ପାଇଁ ଗୋଟିଏ ନଳକୂପ ଥିବାରୁ ପାଣି ସଂଗ୍ରହ କରିବା ପାଇଁ ପ୍ରତିଯୋଗିତା ଦେଖିବାକୁ ମିଳିଛି । କାରଣ ଏହି ନଳକୂପରୁ ସୀମିତ ପରିମାଣର ପାଣି ବାହାରିବା ପରେ ଆଉ ବାହାରୁ ନାହିଁ । ଜଳକଷ୍ଟର ଏହି ଖବର ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅନ୍ତର୍ଗତ ରେଢାଘୁଟୁ ଗାଁରୁ ।