ରାମ ମନ୍ଦିରକୁ ନେଇ ସମାଜବାଦୀ ନେତା ବିବାଦୀୟ ବୟାନ । କହିଲେ, ବେକାର ମନ୍ଦିର, ନକ୍ସା ମଧ୍ୟ ଠିକ୍ ନାହିଁ । ୟୁପିରେ ତେଜିଲା ରାଜନୀତି ।

744

କନକ ବ୍ୟୁରୋ: ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଉତ୍ତର ପ୍ରଦେଶର ୧୦ଟି ଲୋକସଭା କ୍ଷେତ୍ରରେ ଆଜି ଭୋଟ୍ ପଡୁଛି । ଆଉ ଏହାରି ଭିତରେ ରାମ ମନ୍ଦିରକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟିର ନେତା ତଥା ରାଷ୍ଟ୍ରୀୟ ମହାସଚିବ ରାମଗୋପାଳ ଯାଦବ । ତେବେ ରାମଗୋପାଳଙ୍କ ଏହି ବୟାନ ପରେ ବିଜେପି ମଧ୍ୟ ତାଙ୍କ ଉପରେ ପ୍ରତିକ୍ରିୟାଶୀଳ ହେଇଛି । ରାମଗୋପାଳ କହିଛନ୍ତି ଯେ, ରାମ ମନ୍ଦିର ବେକାର ଅଟେ । ଏମିତି ମନ୍ଦିର ନିର୍ମାଣ ହୁଏନି । ତେବେ ରାମଗୋପାଳ ଯାଦବଙ୍କ ଏହି ବୟାନକୁ ନେଇ ଏବ ରାଜନୀତି ତେଜିବାରେ ଲାଗିଛି ।

ରାମଗୋପାଳ କହିଛନ୍ତି, ଏ ମନ୍ଦିର ବେକାର ଅଟେ । ମନ୍ଦିର କଣ ଏମିତି ତିଆରି ହୁଏ? ମନ୍ଦିର ଏପରି ନିର୍ମାଣ ହୁଏନି । ପୁରୁଣା ମନ୍ଦିର ଦେଖିନିଅନ୍ତୁ, ଦକ୍ଷିଣରୁ ଆରମ୍ଭ କରି ଉତ୍ତର ପର୍ଯ୍ୟନ୍ତ ଦେଖିନିଅନ୍ତୁ, ଏହାର ନକ୍ସା ଠିକ୍ ସେ ତିଆରି ହେଇନି । ବାସ୍ତୁ ଦୃଷ୍ଟିରୁ ଏହା ଠିକ୍ ଭାବେ ତିଆରି ହେଇନି । ତେବେ ରାମଗୋପାଳଙ୍କ ଏହି ବୟାନ ପରେ ବିଜେପି ତାଙ୍କ ଉପରେ କାଉଣ୍ଟର ଆଟାକ୍ କରିଛି ।

ରାମଗୋପାଳଙ୍କ ଏହି ବୟାନକୁ ନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ରାମଗୋପାଳ ଯାଦବଙ୍କ ବୟାନ ହିନ୍ଦୁ ବିରୋଧୀ ଅଟେ । ସେ ରାମ ଭକ୍ତ ଏବଂ ହିନ୍ଦୁ ସମାଜର ଅପମାନ କରିଛନ୍ତି । ରାମଗୋପାଳଙ୍କ ବୟାନରେ ସମାଜବାଦୀ ପାର୍ଟିର ଇଚ୍ଛା ସାମ୍ନାକୁ ଆସିଛି ।

ଅନ୍ୟପଟେ ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି, ମଶାଣି ତିଆରି କରିବା ଭଲ ଥିଲା, ହେଲେ ମନ୍ଦିର କିନ୍ତୁ ବେକାର । ତାଙ୍କ ପାଇଁ ମୁଖତାର ଅନସାରୀ, ଅବୁ ସଲେମ, ଅତୀକ୍ ଅହମ୍ମଦ ଏବଂ ଛୋଟା ସକିଲଙ୍କୁ ଜାଣୁଥିବା ଉତ୍ତରପ୍ରଦେଶ ଭଲ ଥିଲା । ହେଲେ ଆଜି ୟୁପି କିନ୍ତୁ ସେପରି ନୁହେଁ । ଆଜିର ବିକାଶମୁଖୀ ୟୁପି ବେକାର ବୋଲି ସେ କହିଛନ୍ତି । ଏଥିସହ ରାମଗୋପାଳଙ୍କୁ ପ୍ରଶ୍ନ କରି ସେ କହିଛନ୍ତି, ସୂର୍ଯ୍ୟତିଳକ ବେଶ ଆକର୍ଷଣୀୟ ଏବଂ ବୈଜ୍ଞାନିକ । ତାହା କଣ ବେକାର?