ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସ ନେତା ଜୟରାମ ରମେଶଙ୍କ ସମାଲୋଚନା: ୩ଟି ପ୍ରସଙ୍ଗ ଉଠାଇ ସୋସିଆଲ ମିଡିଆରେ କଲେ ପ୍ରଶ୍ନ

1,409

କନକ ବ୍ୟୁରୋ: ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ତିନୋଟି ପ୍ରସଙ୍ଗରେ ମୋଦୀଙ୍କୁ ଘେରିଛନ୍ତି ଜୟରାମ ରମେଶ । ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନରେ ଅବହେଳା, ଏସସି-ଏସଟି ସବ-ପ୍ଲାନକୁ ଲିଗାଲ ଷ୍ଟାଟସ ଏବଂ ଶୀତଳାପଲ୍ଲୀ ରେଳୱାଗନ କାରଖାନା କେବେ ପ୍ରତିଷ୍ଠା ହେବ ବୋଲି ପ୍ରଶ୍ନ କରିଛନ୍ତି ଜୟରାମ । କେନ୍ଦ୍ରୀୟ ଅନୁଦାନ ପ୍ରସଙ୍ଗ ଉଠାଇ ଜୟରାମ କହିଛନ୍ତି, ସିଏଜି ରିପୋର୍ଟ ଅନୁସାରେ, ୨୦୧୭-୧୮ରେ ଓଡ଼ିଶାକୁ ୫୭ ପ୍ରତିଶତ ଅର୍ଥ ମିଳିଥିବା ବେଳେ ୨୦୨୧-୨୨ରେ ଏହା ୩୮ ପ୍ରତିଶତକୁ ହ୍ରାସ ପାଇଥିଲା ।

ସେହିପରି ଏନସିଆରବି ରିପୋର୍ଟ ଅନୁସାରେ, ଓଡ଼ିଶାରେ ଏସଟି ସମୁଦାୟଙ୍କ ବିରୋଦରେ ଅପରାଧିକ ମାମଲା ବୃଦ୍ଧି ପାଇଛି । ୨୦୧୮ରେ ଅପରାଧ ହାର ୨୧ ଦଶମିକ ୬ ପ୍ରତିଶତରୁ ବୃଦ୍ଧି ପାଇ ୨୦୨୨ରେ ତାହା ୨୮ ଦଶମିକ ୬ ପ୍ରତିଶତ ହୋଇଛି । ସେହିପରି କେନ୍ଦ୍ରୀୟ ବଜେଟରେ ଆଦିବାସୀଙ୍କ ଆବଂଟନ ମଧ୍ୟ ୨୦୧୭ରେ ନୀତି ଆୟୋଗ ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟ ୮ ଦଶମିକ ୨ ପ୍ରତିଶତରୁ ହ୍ରାସ ପାଇଥିବା ନେଇ ଜୟରାମ କହିଛନ୍ତି । ସେହିଭଳି ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଶୀତଳାପଲ୍ଲୀ ଠାରେ ରେଳୱାଗନ କାରଖାନା ପ୍ରତିଷ୍ଠା ହେବା ନେଇ ୨୦୧୩ରେ କଂଗ୍ରେସ ସରକାର ନିଷ୍ପତି ନେଇଥିଲା । କିନ୍ତୁ ମୋଦୀ କ୍ଷମତାକୁ ଆସିବା ପରେ ୨୦୧୮ରେ ଏହାକୁ ବନ୍ଦ କରିବାକୁ ନିଷ୍ପତି ନେଇଥିବା ବେଳେ ୨୦୨୧ରେ ପିପିପି ମୋଡରେ ଏହାକୁ କରାଯିବ ବୋଲି ଘୋଷଣା କରିଥିଲେ । ଠିକ୍ ସେମିତି ଓଡ଼ିଶାରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ବି ଗୋପାଳପୁର-ରାୟଗଡ଼ା ଓ ରେଢ଼ାଖୋଲ-ଗୋପାଳପୁର ରେଳଲାଇନର ଭବିଷ୍ୟତ ନେଇ ପ୍ରଶ୍ନ ଉଠାଇଛନ୍ତି ଜୟରାମ ରମେଶ ।