ମୋହନା ମାଣିକପୁର ଗାଁ ମହିଳାଙ୍କ ଛତୁ ଚାଷ । କମ୍ ଖର୍ଚ୍ଚ ଓ କମ୍ ସମୟରେ ହେଉଛି ଭଲ ଲାଭ । ଦିନକୁ ୩ରୁ ୪ ଘଣ୍ଟା ପରିଶ୍ରମ କରି ହେଉଛନ୍ତି ଲାଭବାନ

182

କନକ ବ୍ୟୁରୋ: ଛତୁ ଚାଷ କରି ସ୍ୱାବଲମ୍ବୀ ହେଲେ ମହିଳା । ମିଶନ ଶକ୍ତି ଜରିଆରେ ତାଲିମ ନେଇ ଛତୁ ଚାଷ କରୁଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ମାଣିକପୁର ଗାଁର ମା’ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । କିଏ ନଡ଼ା କାଟୁଛି ତ ପୁଣି କିଏ ନଡ଼ାକୁ ପାଣିରେ ଭିଜାଇବା କାମରେ ଲାଗିପଡ଼ିଛି । ଘର କାମ ସାରି ମହିଳା ମାନେ ଏହି କାମ କରିବା ପାଇଁ ଏକାଠି ହୁଅନ୍ତି । ଦିନକୁ ୩ରୁ ୪ ଘଣ୍ଟା ପରିଶ୍ରମ କରି ଭଲ ଲାଭବାନ ହେଉଛନ୍ତି । ଛତୁ ଚାଷ ପାଇଁ କମ୍ ଜାଗାରେ ପ୍ରସ୍ତୁତ ହୋଇଛି ସବୁଜ ଘର । ଦିନକୁ ପ୍ରାୟ ୧୦ରୁ ୧୫ କେଜି ଛତୁ ଉତ୍ପାଦନ ହେଉଥିବା ବେଳେ ମାସକୁ ଏଥିରୁ ୮ରୁ ୯ ହଜାର ଟଙ୍କା ରୋଜଗାର ହୋଇପାରୁଛି । ଏହାକୁ ବଜାରରେ ବିକ୍ରି ଲାଭବାନ ହେଉଛନ୍ତି ମହିଳା ।

ମିଶନ ଶକ୍ତି ଜରିଆରେ ମହିଳା ମାନଙ୍କୁ ପାରଳାଖେମୁଣ୍ଡି ଠାରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଛତୁ ଚାଷ ବିଷୟରେ ତାଲିମ ମିଳିବା ପରେ ମହିଳା ମାନେ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ରୁଣ ଆଣିଥିଲେ । ସେଥିରେ ମହିଳାଙ୍କୁ ୮୦ ହଜାର ଟଙ୍କାର ରିହାତି ମିଳିବା ସହ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ୩୦୦ ଶଯ୍ୟା ବିଶିଷ୍ଠ ଏକ ସବୁଜ କୋଠରୀ କରାଯାଇଥିଲା । ଏବେ ମହିଳା ମାନେ ଧିଙ୍ଗିରି ଛତୁ ଚାଷ କରୁଛନ୍ତି । ଆଗକୁ ପାଳ ଛତୁ ଚାଷ କରିବା ପାଇଁ ଯୋଜନା କରିଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆଣିପାରିଛନ୍ତି ।

ଛତୁ ଚାଷ ଏକ ଲାଭଜନକ ଚାଷ ହୋଇଥିବା ବେଳେ କମ୍ ଖର୍ଚ୍ଚରେ ଏହା ଭଲ ଲାଭ ଦେଇଥାଏ । ତେଣୁ ମହିଳା ମାନେ ଏହି ଚାଷ ଆପଣାଇ ଏବେ ରୋଜଗାରକ୍ଷମ ହୋଇପାରିଛନ୍ତି ।