ଖୋଲା ଆକାଶ ତଳେ ବସିଛି ବ୍ୟବସାୟର ପସରା । କୋରାପୁଟର କୋଟା ଜଙ୍କସନରେ ଜମୁଛି ଲୋକଙ୍କ ଭିଡ

ଦହି, କାକୁଡ଼ି, ସପୁରୀ ଓ ତରଭୁଜ ଖାଇ ଶୋଷ ମେଣ୍ଟାଉଛନ୍ତି ବାଟୋଇ

92

କନକ ବ୍ୟୁରୋ: ନା ଘର ଅଛି ନା ଛାତ ଅଛି । ନିଜର କିଛି ଚାଷ ଅଛି ନା ସରକାରଙ୍କ ତରଫରୁ କିଛି ସହାୟତା ମିଳିଛି । ତଥାପି ପ୍ରତିଦିନ ହେଉଛି ଲକ୍ଷାଧିକ ଟଙ୍କାର ବ୍ୟବସାୟ । ଆଉ ଖରା ଦିନ ଚାଲି ଆସିଲେ ଏହି ବ୍ୟବସାୟ ୨ଗୁଣ ବଢ଼ି ଯାଉଛି । ଏହି ସ୍ଥାନଟି ହେଉଛି କୋରାପୁଟ ଜିଲ୍ଳା ବୈପାରିଗୁଡ଼ା ବ୍ଳକର କଟା ଜଙ୍କସନ ରୂପେ ପରିଚିତ ।

ଖରା ଦିନ ଆସିଲେ ଦହି ପଣା ସାଙ୍ଗକୁ କାକୁଡ଼ି ଓ ତରଭୁଜ ଖାଇବାର ମଜା ବେଶ ନିଆରା । ଖରାରୁ ରକ୍ଷା ପାଇବା ସହ ଶୋଷ ମେଣ୍ଟାଇବା ପାଇଁ ଲୋକେ ଗଛ ଛାଇ ସହ ରାସ୍ତାକଡ଼ ଦୋକାନ ଗୁଡ଼ିକରେ ଭିଡ଼ ଲଗାଇଥାଆନ୍ତି । ଏବେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି କୋରାପୁଟ ଜିଲ୍ଲାର ୩ କୋଣିଆ ଛକ । କିଏ କାକୁଡ଼ି ଖାଉଛି ତ ଆଉ କିଏ ତରଭୁଜ, ପୁଣି କିଏ ପୋଡ଼ା ମକା ଖାଇବାର ମଜା ନେଉଛନ୍ତି । ସପୁରି ସାଙ୍ଗକୁ ଚଲ୍ଲା ଓ ଦହି । ଖାଇବା ଲୋକ ଯେତିକି ଖୁସି ବିକିବା ଲୋକ ବି ତା ଠାରୁ ଅଧିକା ଖୁସି ଅଛନ୍ତି । ଖୋଲା ଆକାଶ ଓ ଗଛ ଛାଇ ତଳେ ଥିବା ଏହି ଦୋକାନ ଗୁଡ଼ିକରେ ଜମୁଛି ଲୋକଙ୍କ ଭିଡ଼ । ମୁଖ୍ୟତଃ ଗୁପ୍ତେଶ୍ୱରକୁ ଯିଏ ବି ଆସେ ସେ ଏହି ସ୍ଥାନକୁ ଭୁଲେ ନାହିଁ । ଏହି ଛକରେ ବର୍ଷ ତମାମ ଚାଲିଥାଏ ବ୍ୟବସାୟ ।

ଯିଏ ବି ଏହି ବାଟ ଦେଇ ଯାଉଛି ସେ ଟିକିଏ ଅଟକି ଯାଉଛି । ଚାରିଆଡ଼େ ପାହାଡ଼ର ସବୁଜିମା । ମଝିରେ ରହିଥିବା ଏହି ସ୍ଥାନରେ ଟିକିଏ ଥଣ୍ଡା ପବନ ସାଙ୍ଗକୁ ଦହି କାକୁଡ଼ିର ମଜା ସମସ୍ତଙ୍କୁ ଆନନ୍ଦ ଦେଉଛି । ତାହା ମଧ୍ୟ ଖୁବ୍ କମ ଦରରେ । ଗଛ ଛାଇରେ ଭରି ରହିଥିବା ଏହି ସ୍ଥାନଟି ୩ଟି ରାଜ୍ୟ ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରକୁ ସଂଯୋଗ କରୁଥିବା ତିନି କୋଣିଆ ଛକ । ଯାହାକି କଟା ଜଙ୍କସନ ରୁପେ ପରିଚିତ । ସ୍ଥାନଟି ଛୋଟ କିନ୍ତୁ ବ୍ୟବସାୟ ଲକ୍ଷାଧିକ ଟଙ୍କାର । ସବୁ ରାଜ୍ୟର ଲୋକଙ୍କୁ କରୁଛି ଆକୃଷ୍ଠ କରୁଛି ଏହି ସ୍ଥାନ ।

ଖୋଲା ମେଲାରେ ରହିଥିବା ଏହି ଛକରେ ୩୦ ରୁ ୪୦ ପରିବାରର ଜୀବନ ଜୀବିକା ଚାଲିଛି । ପରୋକ୍ଷରେ ୪୦ ରୁ ୮୦ ଚାଷୀ ପରିବାର ନିଜର ସାମଗ୍ରୀ ବିକ୍ରି କରି ଏଥିରେ ପେଟ ପୋଷୁଛନ୍ତି ।