ଶାହିନଙ୍କୁ ଏତେ ପ୍ରଂଶସା କାହିଁକି, ଶାହିନ କଣ ୱାସିମ ଆକ୍ରମ? ପାକିସ୍ତାନର ଦ୍ରୁତ ବୋଲରଙ୍କ ଧଜିଆ ଉଡାଇଲେ ରବି ଶାସ୍ତ୍ରୀ ।

982

କନକ ବ୍ୟୁରୋ : ପୁଣିଥରେ ଭାରତ ବିପକ୍ଷରେ ମାତ୍ ଖାଇଲା ପାକିସ୍ତାନ । ବିଶ୍ୱକପରେ ପାକିସ୍ତାନକୁ ୭ ୱିକେଟରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ରୋହିତଙ୍କ ଦ୍ରୁତ ଅର୍ଦ୍ଧଶତକ ଓ ଶ୍ରେୟସଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ବଳରେ ପାକିସ୍ତାନ ବିପକ୍ଷରେ ଭାରତ ସହଜ ବିଜୟ ହାସଲ କରିଛି । ଭାରତର ବ୍ୟାଟିଂ ଆଗରେ ପାକିସ୍ତାନର ବୋଲିଂ ବାହିନୀ ଚିତପଟାଙ୍ଗ ମାରିଥିଲା । ପାକିସ୍ତାନର ବୋଲିଂ ବିଭାଗକୁ ସବୁଠାରୁ ଶକ୍ତିଶାଳୀ କୁହାଯାଉଥିଲେ ମଧ୍ୟ ରୋହିତ ଓ ଶ୍ରେୟସଙ୍କ ଇନିଂସ ଏହାକୁ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ କରିଥିଲା । ଯାହାକୁ ନେଇ ପୂର୍ବତନ ଭାରତୀୟ କୋଚ୍ ତଥା ଏବେ ଭାଷ୍ୟକାର ଦାୟିତ୍ୱ ତୁଲାଉଥିବା ରବି ଶାସ୍ତ୍ରୀ ବଡ ବୟାନ ଦେଇଛନ୍ତି ।

ମ୍ୟାଚ ସମୟରେ କମେଣ୍ଟ୍ରି କରୁଥିବା ବେଳେ ରବି ଶାସ୍ତ୍ରୀ ପାକିସ୍ତାନର ବୋଲିଂ ବାହିନୀକୁ ନେଇ କହିଛନ୍ତି ଯେ, ଲୋକେ ମୋତେ କହୁଛନ୍ତି ପାକିସ୍ତାନ ପାଖରେ ଶକ୍ତିଶାଳୀ ବୋଲିଂ ଆଟାକ ରହିଛି । କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ । ପାକିସ୍ତାନର ବୋଲିଂ ବିଭାଗ ସେତେଟା ଶକ୍ତିଶାଳୀ ନୁହେଁ । ନସିମ ଶାହା ବିଶ୍ୱକପ ଖେଳୁନାହାନ୍ତି । ପାକିସ୍ତାନର ସ୍ପିନ ବିଭାଗ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ । ଦ୍ରୁତ ବୋଲର ଶାହିନ ଆଫ୍ରିଦି ମଧ୍ୟ ୱାସିମ ଆକ୍ରମ ନୁହଁନ୍ତି । ଶାହିନ ଭଲ ବୋଲର । ନୂଆ ବଲରେ ୱିକେଟ ନେବାର ଦକ୍ଷତା ତାଙ୍କର ରହିଛି । କିନ୍ତୁ ତାଙ୍କୁ ଏତେ ପ୍ରଂଶସା କରିବାର ଆବଶ୍ୟକତା ନାହିଁ । ଯାହା ସତ ତାହା କହିବା ଆବଶ୍ୟକ । କାହାକୁ ଅଧିକ ଟେକି ଶକ୍ତିଶାଳୀ ବୋଲି କହିବା ଦରକାର ନାହିଁ । ଏହାକୁ ମାନିବା ସହ ସ୍ୱୀକାର କରିବାକୁ ପଡିବ ।

ରବି ଶାସ୍ତ୍ରୀ ଏଭଳି ବୟାନ ଦେବା ପଛର କାରଣ ମଧ୍ୟ ରହିଛି । ପାକିସ୍ତାନ ବୋଲର ଶାହିନ ଆଫ୍ରିଦି ଭାରତ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି ବୋଲି ମ୍ୟାଚ୍ ପୂର୍ବରୁ ଅନେକ କ୍ରିକେଟର କହୁଥିଲେ । କାରଣ ଶାହିନ ଏହା ପୂର୍ବରୁ ଅନେକବାର ଭାରତର ଟପ୍ ଅର୍ଡରକୁ ଅଡୁଆରେ ପକାଇଛନ୍ତି । କିନ୍ତୁ ବିଶ୍ୱକପରେ ଶାହିନଙ୍କୁ ନିର୍ଦ୍ଧୁମ ଧୂଲେଇ କରିଥିଲେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ମ୍ୟାଚରେ ଶାହିନ ୨ଟି ୱିକେଟ ହାତେଇଥିଲେ ମଧ୍ୟ ଏହା ପାକିସ୍ତାନର ବିଜୟ ପାଇଁ ଯଥେଷ୍ଟ ନଥିଲା । ଅନ୍ୟପଟେ ଟିମ୍ ଇଣ୍ଡିଆର ଟପ୍ ଅର୍ଡର ବ୍ୟାଟର ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି । ଭାରତ ନିଜର ଦମଦାର ବ୍ୟାଟିଂ ବଳରେ ବିଶ୍ୱକପରେ ବିଜୟର ହାଟ୍ରିକ ମାରିଛି । ଏହାସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ରୋହିତ ବାହିନୀ ।