କିଡନୀ ରୋଗରେ ପଡିଛି ୮ ବର୍ଷର ଝିଅ । ତଥାପି ଛାଡିନି ନାଚିବାର ନିଶା । ଆପଣଙ୍କ ସାହାଯ୍ୟ ଆରିଫାକୁ ଦେଇପାରେ ନୂଆ ଜୀବନ ।

207

କନକ ବ୍ୟୁରୋ: କୁନି ଝିଅଟିଏ, ବୟସ ୭ରୁ ୮ବର୍ଷ ହେବ । ଏହି ବଢ଼ିଲା ବୟସରେ କିଡନୀ ରୋଗରେ ଆକ୍ରାନ୍ତ ହୋଇଯାଇଛନ୍ତି । ଦୁଇଟି ଯାକ କିଡ୍୍ନୀ ଖରାପ ହୋଇଯାଇଛି । ଶରୀର ସିନା ସୁସ୍ଥ ନାହିଁ ହେଲେ, ଏହି ରୋଗାଗ୍ରସ୍ତ ଅବସ୍ଥାରେ ବି ନାଚକୁ ଛାଡ଼ି ପାରୁନାହାଁନ୍ତି । କୁନି ପିଲାଙ୍କୁ ବୁଝାଇବା ବି ମୁସ୍କିଲ । ତାଙ୍କର ନାଚ ପ୍ରତିଥିବା ଭଲ ପାଇବା ତାଙ୍କ ପାଦକୁ ଅଟକାଇ ପାରୁନି । ଦୃଢ ଇଛାଶକ୍ତି ଆଗରେ ଯେମିତି ହାର ମାନିଛି କିଡନୀ ରୋଗ ।

ସେହି କୁନି ଝିଅ ହେଉଛନ୍ତି ଆରିଫା ଫତିମା । ଘର ସୁନ୍ଦରଗଡ଼ ଜିଲ୍ଲାରେ । ଯେଉଁଠି ବି ନୃତ୍ୟ ପ୍ରତିଯୋଗିତା ହେଉଛି, ସେଠି ପହଞ୍ଚିଯାଉଛନ୍ତି ଆରିଫା । କିଡନୀ ରୋଗୀ ଥିବାରୁ ପରିବାର ଲୋକ ତାଙ୍କର ଚିକିତ୍ସା କରୁଛନ୍ତି । ପ୍ରତି ମାସରେ ୩ ଥର ଡାଇଲେସିସ୍ କରୁଛନ୍ତି । କିଡନୀ ପ୍ରତ୍ୟାରୋପଣ ପାଇଁ ମଧ୍ୟ ପରିବାର ଲୋକ ଡାକ୍ତରଙ୍କ ପରାମର୍ଶ କରୁଛନ୍ତି । ହେଲେ କୁନି ଝିଅର ନାଚପ୍ରତି ଥିବା ରୁଚିକୁ ଅଣଦେଖା କରିପାରୁନାହାଁନ୍ତି । ଆରିଫାର ଖୁସି ହେବ, ମନ ଖୁସି ହେଲେ ଆଗକୁ ସୁସ୍ଥ ହୋଇଯିବ ଏହି ଆଶାରେ କୁନି ଝିଅକୁ ନାଚଠାରୁ ଦୂରେଇ ରଖିବାକୁ ଚାହୁଁନାହାଁନ୍ତି । ଏତେ କମ୍ ବୟସରେ ଏତେ ଭଲ ନୃତ୍ୟ କରୁଥିବା ଆରିଫା ଚିକିତ୍ସା ପରେ କିଡନୀ ପ୍ରତ୍ୟାରୋପଣ କଲେ ଭଲ ହୋଇଯାଆନ୍ତୁ ଏହି କାମନା ସମେସ୍ତ କରୁଛନ୍ତି । ଏମିତି କି ଆରିଫାର ଚିକିତ୍ସାରେ ସହାୟତା କରିବା ପାଇଁ ମଧ୍ୟ ସାଧାରଣ ଜନତା ଆଗେଇ ଆସିବାକୁ ନିବେଦନ କରାଯାଉଛି ।