ଜମତରା ଗ୍ୟାଙ୍ଗକୁ ନେଇ ଆସିଲା ଚମକାଇ ଦେଲା ଭଳି ତଥ୍ୟ: ମୁମ୍ବାଇରେ ବସି ଦଲାଲ ବିକ୍ରି କରୁଛନ୍ତି ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ

263

କନକ ବ୍ୟୁରୋ: ଜମତରା ଗ୍ୟାଙ୍ଗର ସଦସ୍ୟମାନେ ସାଇବର ଲୁଟ କରିବା ପାଇଁ କେମିତି ପାଆନ୍ତି ଆପଣଙ୍କ ନମ୍ବର, କେମିତି ପାଆନ୍ତି ଆପଣଙ୍କ ତଥ୍ୟ । ଏ ସମ୍ପର୍କରେ ନୂଆ ତଥ୍ୟ ସାମନାକୁ ଆସିଛି । ଓଡିଶା କ୍ରାଇମବ୍ରାଂଚ ତିନି ଜଣଙ୍କୁ ରିମାଣ୍ଡରେ ଆଣିବା ପରେ ଏହି ତଥ୍ୟ ହାସଲ କରିଛି ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଆପଣଙ୍କ ମୋବାଇଲ ନମ୍ବର, ଆପଣଙ୍କ ବ୍ୟାଙ୍କ ଆକାଉଂଟ ସମ୍ପର୍କୀତ ତଥ୍ୟ ବିକ୍ରି ହେଉଛି । ମୁମ୍ବାଇରେ ବସିଥିବା କିଛି ସାଇବର ଦଲାଲ ଲୋକଙ୍କ ବ୍ୟାଙ୍କ ଆକାଉଂଟ ଓ ଫୋନ ନମ୍ବର ସଂଗ୍ରହ କରୁଛନ୍ତି ଓ ଜମତରା ଗ୍ୟାଙ୍ଗର ଲୁଟେରାଙ୍କ ଭଳି ଠକଙ୍କୁ ଏହି ତଥ୍ୟ ବିକ୍ରି କରୁଛନ୍ତି । ଜମତରା ଗ୍ୟାଙ୍ଗର ସଦସ୍ୟଙ୍କୁ ପଚରାଉଚୁରା କରିବା ପରେ ଓଡିଶା କ୍ରାଇମବ୍ରାଂଚ ଏଭଳି ତଥ୍ୟ ହାସଲ କରିଛି ।

ବ୍ୟାଙ୍କ ଆକାଉଂଟ ସମ୍ପର୍କୀତ ତଥ୍ୟ ପାଇବା ପରେ ଲୋକଙ୍କୁ ଫସାଇବା ଏମାନଙ୍କ ପାଇଁ ଟିକିଏ ସହଜ ହୋଇଯାଏ । ଫୋନରେ ଯେତେବେଳେ ଏହି ଲୁଟେରାମାନେ ଆପଣଙ୍କୁ ଫୋନ କରି , ଆପଣଙ୍କ ଆକାଉଂଟ ସମ୍ପର୍କୀତ ତଥ୍ୟ କୁହନ୍ତି, ସେତେବେଳେ ତାଙ୍କ ଉପରେ ଅନେକାଂଶରେ ବିଶ୍ୱାସ ବି ହୋଇଯାଏ । ଆଉ ଏହାର ଫାଇଦା ଉଠାନ୍ତି ଏହି ଚୋର ଡକାୟତମାନେ ।

ଜମତରା ଗ୍ୟାଙ୍ଗର ମୁଖ୍ୟ ମାଷ୍ଟରମାଇଣ୍ଡ ଏବେ ବି ଝାଡଖଣ୍ଡରେ ବସି ସାରାଦେଶକୁ ଲୁଟ କରିବାରେ ଲାଗିଛି । ଓଡିଶା କ୍ରାଇମବ୍ରାଂଚ ଗିରଫ କରିଥିବା ଜମତରା ସଦସ୍ୟଙ୍କଠାରୁ ଜଣାପଡିଛି, ସବୁ ଲୁଟ୍ର ଟଙ୍କା ସେହି ମାଷ୍ଟରମାଇଣ୍ଡର ଆକାଉଂଟକୁ ଯାଏ ଏବଂ ପରେ ସେ ଟଙ୍କାକୁ ଅନ୍ୟମାନଙ୍କୁ ପଠାଇଥାଏ ।