୩୦୦ ରୁ ଅଧିକ ସହରରେ ଫେସବୁକ ଦେଉଛି ୫୦ ଲକ୍ଷ ପର୍ଯ୍ୟନ୍ତ ଋଣ, ଜାଣନ୍ତୁ କେମିତି କରିବେ ଆବେଦନ

536

କନକ ବ୍ୟୁରୋ : ଯଦି ଆପଣ କିଛି ଛୋଟ ବ୍ୟବସାୟ କରୁଛନ୍ତି ତ ଆପଣ ଫେସବୁକ୍ ଭଳି ସୋସିଆଲ ମିଡିଆ ବ୍ୟବହାର କରି ନିଜର ବ୍ୟବସାୟକୁ ବଢାଇ ପାରିବେ । ଏନେଇ ଫେସବୁକ୍ ତରଫରୁ ଏବେ ଋଣ ଦିଆଯାଉଛି । ଏନେଇ ଫେସବୁକ ଆପଣଙ୍କ ବ୍ୟବସାୟ ବୃଦ୍ଧି କରିବାକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଉଛି ।

ଫେସବୁକ ତରଫରୁ ଛୋଟ ବ୍ୟବସାୟକୁ ବଡ କରିବା ଅର୍ଥାତ ନିଜ ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ଏବେ ଋଣ ଦେବା ଆରମ୍ଭ କରିଛି । ଏନେଇ ନିଜେ ଫେସବୁକ ଋଣ ପ୍ରଦାନ କରୁ ନଥିବା ବେଳେ ଇଣ୍ଡିଫି କମ୍ପାନୀ ସହ ମିଶି ଋଣ ପ୍ରଦାନ କରୁଛି । ଏହି ଋଣ ପାଇବାକୁ ଫେସବୁକ ତରଫରୁ ସାଧାରଣ ସର୍ତ୍ତ ରଖାଯାଇଛି । କମ୍ପାନୀ ତରଫରୁ ପ୍ରଥମେ ଭାରତର ୨୦୦ଟି ସହରରେ ଏହି ଋଣ ଦେବା ଆରମ୍ଭ କରିଥିବା ବେଳେ ଏବେ ଏହାକୁ ବୃଦ୍ଧି କରି ୩୦୦ ଟି ସହରରେ ଋଣ ଦେଉଛି । ଏନେଇ କମ୍ପାନୀ ତରଫରୁ ସର୍ତ୍ତ ରଖାଯାଇଛି କି ଋଣ ନେବାକୁ ଚାହୁଁଥିବା ବ୍ୟବସାୟୀ ସର୍ବନିମ୍ନ ୬ ମାସ ହେବ ଫେସବୁକ ବ୍ୟବହାର କରୁଥିବେ । ଏହାସହ ଫେସବୁକ ମାଧ୍ୟମରେ ନିଜ ବ୍ୟବସାୟର ବିଜ୍ଞାପନ ଦେଇଥିବେ । ଏହା ବ୍ୟତୀତ ଇଣ୍ଡିଫି ତରଫରୁ ବି କିଛି ସର୍ତ୍ତ ରଖାଯାଇଛି ।

ଆପଣ ପ୍ରଥମେ Facebook Small Business Loans Initiative ସାଇଟକୁ ଯାଇ ଋଣ ପାଇଁ ଅନଲାଇନ ଆବେଦନ କରିପାରିବେ । ଆପଣ ପ୍ରଥମଥର ପାଇଁ ଆବେଦନ କରୁଥିଲେ ଆପଣଙ୍କ ବ୍ୟବସାୟର ସ୍ଥିତିକୁ ଦେଖି ଫେସବୁକ ଆପଣଙ୍କୁ ୨-୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଇପାରେ । ଯଦି ଆପଣଙ୍କ ଋଣ ମଞ୍ଜୁର ହେବ ତେବେ ୩ ଦିନ ଅର୍ଥାତ ୭୨ ଘଂଟା ମଧ୍ୟରେ ଆପଣଙ୍କ ବ୍ୟାଙ୍କ ଖାତାକୁ ଋଣ ଟଙ୍କା ଆସିଯିବ । ଅନ୍ୟପଟେ ଋଣ ପାଇଁ ଆପଣଙ୍କୁ କୌଣସି ଜିନିଷ ବନ୍ଧକ ରଖିବାକୁ ପଡିବ ନାହିଁ । ଋଣ ଉପରେ ସୁଧ କଥା ଯଦି ଆଲୋଚନା କରିବା ତେବେ ଆପଣଙ୍କୁ ବାର୍ଷିକ ୧୭-୨୦ ପ୍ରତିଶତ ସୁଧ ଦେବାକୁ ପଡିବ । ଏହାସହ ମହିଳା ବ୍ୟବସାୟୀଙ୍କ ପାଇଁ କମ୍ପାନୀ ତରଫରୁ ୨ ପ୍ରତିଶତ ସୁଧହାର କମ କରାଯାଇଛି ।