ଲୁଚିଗଲା ମୌସୁମୀ, ଶ୍ରାବଣରେ ବି ବର୍ଷାକୁ ଅପେକ୍ଷା। ଗତ ୨ ମାସ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ୍ ଠାରୁ କମ୍ ବର୍ଷା।

149

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଶ୍ରାବଣରେ ଫାଟି ଆଁ କରିଛି ଭୂଇଁ । ବର୍ଷା ଅଭାବରୁ ଗଜା ମରୁଡି ଆଶଙ୍କା କରି ମୋଟର ସହାୟତାରେ ବିଲକୁ ପାଣି ମଡାଯାଉଛି । ଏହିଭଳି ପାଣି ମଡାଇବା ସହ ଧାନ ରୁଆ ଆରମ୍ଭ କରିଛନ୍ତି ଚାଷୀ । ମାଲକାନଗିରି ଜିଲ୍ଲା ଏମଭି ୪୩ ଓ ଏମଭି ୮ ଅଞ୍ଚଳରେ ମୋଟରପମ୍ପ ଯୋଗେ ବିଲକୁ ଓଦା କରି ଧାନ ରୁଆ ଆରମ୍ଭ ହୋଇଛି । ଚାଷ କାମରେ ବିଳମ୍ବ ସହ ଗଜା ମରୁଡିକୁ ଏଡାଇବା ଲାଗି ଚାଷୀ ଏଭଳି ବିକଳ୍ପ ପନ୍ଥା ଆପଣାଇଛନ୍ତି । ଏଥିପାଇଁ ଚାଷୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଜୁନ୍ ୧ରୁ ଅଗଷ୍ଟ ୧ ମଧ୍ୟରେ ରାଜ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି ।

ଶ୍ରାବଣରେ କମ୍ ବର୍ଷା!
– ଜୁନ୍ ୧ରୁ ଅଗଷ୍ଟ ୧ ମଧ୍ୟରେ ୫୬୦. ୬ ମିଲିମିଟର ବର୍ଷା ହେବା କଥା
– ୨ ସାସ ଭିତରେ ୫୧୨. ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି
– ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ ୯ ପ୍ରତିଶତ କମ୍
– ରାଜ୍ୟର ୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି
– ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, ଭଦ୍ରକ ଓ ବଲାଙ୍ଗୀରରେ କମ୍ ବର୍ଷା
– ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାଭାବିକଠାରୁ ୪୦% କମ୍ ବର୍ଷା ହୋଇଛି
– ଦୁଇଟି ଜିଲ୍ଲା ବୌଦ୍ଧ ଓ କନ୍ଧମାଳରେ ସ୍ୱାଭାବିକଠାରୁ ଅଧିକ ବର୍ଷା
– ୨୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି

ଏହାରି ଭିତରେ ଆଗାମୀ ୨ ମାସ ପାଇଁ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

ଆଗକୁ ସ୍ୱାଭାବିକ ବର୍ଷା ସମ୍ଭାବନା
– ଆଗାମୀ ୨ ମାସ ସ୍ୱାଭାବିକ କିମ୍ବା ତାଠାରୁ ଅଧିକ ବର୍ଷା ଆକଳନ
– ବିଶେଷ କରି ଅଗଷ୍ଟରେ ୯୪ରୁ ୧୦୬ ମିଲିମିଟର ବର୍ଷା ସମ୍ଭାବନା
– ଦକ୍ଷିଣ-ପୂର୍ବ, ଉତ୍ତର-ପଶ୍ଚିମ, ଓ ପଶ୍ଚିମ-କେନ୍ଦ୍ରୀୟ ଭାରତରେ ସ୍ୱାଭାବିକ ବର୍ଷା ହୋଇପାରେ
– ପଶ୍ଚିମ-ଉପକୂଳ ସମେତ ପୂର୍ବ-କେନ୍ଦ୍ରୀୟ, ଉତ୍ତର ପୂର୍ବ ଭାଗରେ ସ୍ୱାଭାବିକଠୁ କମ୍ ବର୍ଷା ହେବ