ମେଧାବୀ ଝିଅ ହାତରେ ବେଲଚା । ପାଠପଢା ଖର୍ଚ୍ଚ ପାଇଁ ପାଲଟିଛି ଦିନ ମଜୁରିଆ ।

104

କନକ ବ୍ୟୁରୋ: ରାତିରେ ହାତରେ ବହି ଖାତା । ଆଉ ସକାଳ ପାହିଲେ ହାତରେ କୋଡି କୋଦାଳ । ପାଠ ପଢିବାକୁ ପ୍ରବଳ ଇଚ୍ଛା । ହେଲେ ପେଟର ଭୋକ ହେଉଛି ବାଧକ । ପରିବାରର ଭୋକ ମେଣ୍ଟାଇବାକୁ ମେଧାବୀ ଝିଅ ସାଜିଛି ଦିନ ମଜୁରିଆ ।

ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଦେବୀଘାଟ ପଞ୍ଚାୟତର ବଗେଇପଦର ଗାଁରେ । ଗାଁର ରାମଚନ୍ଦ୍ର ମୁଦୁଲି ଓ ବାଲା ମୁଦୁଲିଙ୍କ ସାନ ଝିଅ ଲନ୍ଦେଇ ମୁଦୁଲି । ଆଦରରେ ମସସ୍ତେ ଲିଲି ବୋଲି ଡାକନ୍ତି । ୪ ଭାଇ ଭଉଣୀଙ୍କ ମଧ୍ୟରେ ଲିଲି ହେଉଛନ୍ତି ସବୁଠୁ ସାନ ହେଲେ ପାଠପଢାରେ ସବୁଠୁ ଆଗୁଆ । ଚାଷ କାମ ଉପରେ ନିର୍ଭର କରି ଚଳୁଥିବା ପରିବାରରେ ଘୋର ଆର୍ଥିକ ସମସ୍ୟା ଥିବାରୁ ମାତ୍ର ୧୨ ବର୍ଷ ବୟସରୁ ମଜୁରୀ ଖଟିବାକୁ ଘରୁ ଗୋଡ କାଢିଥିଲେ ଲିଲି । ତଥାପି ହାର ମାନିନଥିଲେ । ଅନେକ ସମସ୍ୟା ଭିତରେ ବି ମାଟ୍ରିକ ପାସ୍ କଲେ । ଏହାପରେ ୬୨ ପ୍ରତିଶତ ନମ୍ବର ରଖି ଯୁକ୍ତ ଦୁଇ ପାସ୍ କଲେ । ମଜୁରୀ ଖଟି ଯାହା ମିଳେ ସେଥିରେ ପରିବାରର ଖର୍ଚ୍ଚ ତୁଲାଇବା ସହ କିଛି କିଛି ଟଙ୍କା ସଞ୍ଚୟ କରି ପାଠପଢା ପାଇଁ ରଖନ୍ତି ।

ଏତେ ସମସ୍ୟା ପରେ ବି ଅଟକି ନାହାଁନ୍ତି ଲିଲି । ଯୁକ୍ତ ଦୁଇ ପରେ ସିଟି କଲେ । ଏବେ ପୁଣି ସ୍ନାତକ କରିବାକୁ ଯୋଗାଡ କରୁଛନ୍ତି ଟଙ୍କା । କର୍ମ ହିଁ ଜୀବନ ,କର୍ମ ହିଁ ଭଗବାନ୍ । ତେଣୁ କାହାରି ଉପରେ ନିର୍ଭର ନକରି ନିଜ ପାଇଁ ଓ ପରିବାର ପାଇଁ ଯେତେ ଦୂର ହେଲେ ବି ମଜୁରି ଖଟିବାକୁ ଯାଉଛନ୍ତି । ଏଥିପାଇଁ ଯେଉଁଠି କାମ ପାଇଁ ଡାକୁଛନ୍ତି ସେଠାକୁ ଚାଲିଯାଉଛନ୍ତି । ମନରେ ତାଙ୍କର ଗୋଟିଏ ସଙ୍କଳ୍ପ ଜଣେ ଶିକ୍ଷୟିତ୍ରୀ ହେବେ । ବାପା, ମା’ଙ୍କର ଦୁଃଖ ଦୂର କରିବେ ।

ଯେଉଁଠି ସାମାନ୍ୟ ସମସ୍ୟାକୁ ନେଇ ଯୁବକ ଯୁବତୀ ଆତ୍ମହତ୍ୟା କରୁଥିବା ଘଟଣା ସାମ୍ନାକୁ ଆସୁଛି ଏପରି ସ୍ଥିତିରେ ମଜୁରୀ ଘଟୁଥିବା ପାଠପଢା ଖର୍ଚ୍ଚ ଉଠାଉଥିବା ଲିଲି ସାରା ସାମଜ ପାଇଁ ଜଣେ ମାର୍ଗଦଦର୍ଶକ ନିଶ୍ଚୟ ।