ବ୍ରେନ୍ ଡ଼େଡ଼ ପରେ ୫ ବର୍ଷର ଶିଶୁ ବଞ୍ଚାଇଲେ ୨ ଜୀବନ । ବାପା ମା’ କହିଲେ ଦୁଃଖର କାହାଣୀ

484

କନକ ବ୍ୟୁରୋ : ୫ ବର୍ଷର ଶିଶୁ ବଞ୍ଚାଇଲେ ଦୁଇ ଜୀବନ । ଆପୋଲାରେ ୫ ବର୍ଷର ପିଲା ସୁଧାଂଶୁଙ୍କ ବାପା ମା’ ଏଭଳି ମହତ କାମ କରିଛନ୍ତି । କନକ ନ୍ୟୁଜକୁ ସୁଧାଂଶୁଙ୍କ ବାପା ମାଆ କହିଛନ୍ତି ଦୁଃଖ ଭରା କାହାଣୀ । ସେମାନଙ୍କ କହିବା କଥା ଥିଲା ଡାକ୍ତର ବ୍ରେନ୍ ଡେଡ୍ କହିବା ପରେ ଏଭଳି ନିଷ୍ପତ୍ତି ନେଇଥିଲେ । ୪ ମାସ ହେଲା ସୁଧାଂଶୁ ସୁସ୍ଥ ଥିଲା । କିନ୍ତୁ ହଠାତ ଅସୁସ୍ଥ ହୋଇପଡିଥିଲେ । ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଅଣାଯାଇଥିଲା । ଆଉ ଡାକ୍ତର ବ୍ରେନ ଡେଡ ବୋଲି ଘୋଷଣା କରିବା ପରେ ଏଭଳି ମହତ ନିଷ୍ପତ୍ତି ନେଲେ ।

ତେବେ କିଡନୀର ସଫଳ ବିନିଯୋଗ କରିବା ପାଇଁ ଏସସିବି ମେଡିକାଲ କଲେଜ ଅକ୍ଷମ ହୋଇଥିବା ଅଭିଯୋଗ ହୋଇଛି । ଅବହେଳା ଓ ପୂର୍ବ ପ୍ରସ୍ତୁତି ନଥିବାରୁ କିଡନୀ ପ୍ରତିରୋପଣ ପାଇଁ ୮ ଘଂଟାରୁ ଅଧିକ ସମୟ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି । ଶେଷରେ ଆପୋଲୋ ହସ୍ପିଟାଲରେ ଶିଶୁର ଦୁଇଟି ଯାକ କିଡନୀ ରୋଗୀଙ୍କ ଠାରେ ପ୍ରତିରୋପଣ କରାଯାଇଛି । କିଡନୀକୁ ଭୁବନେଶ୍ୱରରୁ କଟକ ଓ କଟକରୁ ପୁଣି ଭୁବନେଶ୍ୱର ଅଣାଯାଇଛି । ଭୁବନେଶ୍ୱର କିମ୍ସ ହସ୍ପିଟାଲ୍ ଆଇସିୟୁରେ ସୌମ୍ୟରଂଜନ ଲେଙ୍କାଙ୍କ ୫ ବର୍ଷର ପୁଅ ସୁଧାଂଶୁ, ଗୁରୁତର ଅସୁସ୍ଥ ହୋଇ ଭର୍ତ୍ତି ହୋଇଥିଲେ । ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ୱେ ପିଲାର ବଂଚିବା ସମ୍ଭବ ହୋଇନଥିଲା ।

ବ୍ରେନ୍ ବା ମସ୍ତିଷ୍କ ଅଚଳ ହୋଇ ପଡିବାରୁ ପିଲାକୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ ଡାକ୍ତର । ପିଲାର ବଂଚିବାର ଆଶା ନଥିବାରୁ କିଡନୀ ଦାନ କରିବାକୁ ପରିବାର ପକ୍ଷରୁ ହସ୍ପିଟାଲକୁ ଜଣାଇ ଦିଆଯାଇଥିଲା । କିଡନୀ ଦାନ ଓ ପ୍ରତ୍ୟାରୋପଣ ନିୟମ ଅନୁଯାୟୀ କିମ୍ସ ହସ୍ପିଟାଲ୍ ପକ୍ଷରୁ ଷ୍ଟେଟ୍ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍କୁ ଜଣାଇ ଦିଆଯାଇଥିଲା । ଏହି ସଂସ୍ଥାରେ ରାଜ୍ୟର ସବୁ ସରକାରୀ-ବେସରକାରୀ ଡାକ୍ତରଖାନାରେ କିଡନୀ ପ୍ରତ୍ୟାରୋପଣ ଏବଂ ଟ୍ରାନ୍ସପ୍ଲାଂଟ ଅପେକ୍ଷାରେ ଥିବା ରୋଗୀଙ୍କ ତାଲିକା ରହିଥାଏ । କିଡନୀ ମିଳିଲେ ତାଲିକାର ପ୍ରଥମରେ ଥିବା ରୋଗୀଙ୍କ ଦେହରେ ପ୍ରତ୍ୟାରୋପଣ କରାଯାଇଥାଏ । କିଡନୀ ବାହାର କରିବା ଏବଂ ଜଣଙ୍କ ଦେହରେ ପ୍ରତ୍ୟାରୋପଣ କରିବା, ଯଦି ଠିକ୍ ସମୟରେ ନହୁଏ, ତେବେ ଏହା ଫଳପ୍ରଦ ହେବାର ସମ୍ଭାବନା ହ୍ରାସ ହୋଇଥାଏ । କଟକ ବଡ଼ ମେଡିକାଲକୁ ଗୋଟିଏ କିଡନୀ ନିଆଯାଇଥିଲା ।

କିନ୍ତୁ ଅଭିଯୋଗ ହୋଇଛି, ସେଠାରେ ପୂର୍ବ ପ୍ରସ୍ତୁତି ନଥିବାରୁ କିଡନୀ ପ୍ରତ୍ୟାରୋପଣ ନହୋଇ ପାରିନଥିଲା । ତେବେ କଟକ ମେଡିକାଲ ପକ୍ଷରୁ କୁହାଯାଇଛି, ୫ ଜଣ ରୋଗୀଙ୍କୁ ଡକା ଯାଇଥିଲା, ସେମାନଙ୍କ ମଧ୍ୟରୁ ଦୁଇ ଜଣ ଆସିଥିଲେ, କିନ୍ତୁ ସେମାନଙ୍କ ଠାରେ ମ୍ୟାଚ୍ ନହେବାରୁ କିଡନୀକୁ ଫେରାଇ ଦିଆଯାଇଥିଲା । ଶେଷରେ ଆପୋଲୋ ହସପିଟାଲରେ କିଡନୀ ପ୍ରତିରୋପଣ କରାଯାଇଥିବା ସୂଚନା ମିଳିଛି । ଆପୋଲୋ ହସପିଟାଲରେ ଡାକ୍ତର ସମୀରଣ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍, ଦୁଇ ଜଣଙ୍କ ଠାରେ କିଡନୀ ପ୍ରତିରୋପଣ କରିଥିବା ଜଣାପଡିଛି । ବାପାମାଆ ସେମାନଙ୍କ ମୃତ ପିଲାଙ୍କ ଦାନ ଭଳି ମହତ କାର୍ଯ୍ୟ କରିଥିବାରୁ ସମସ୍ତେ ପ୍ରଶଂସା କରିଛନ୍ତି ।