କେନ୍ଦ୍ରାପଡା ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ । ୨୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ସେପଟେ ପଞ୍ଚୁ ବାରାହୀ ପୀଠର ହେବ ଉନ୍ନତିକରଣ ।

188

କନକ ବ୍ୟୁରୋ: ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ । ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଗସ୍ତର ଚବିଶ ଘଣ୍ଟା ମଧ୍ୟରେ ମଞ୍ଜୁର ହେଲା ବାଇଶ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ୫-ଟି ସଚିବ ଭିକେ ପାଣ୍ଡିଆନ୍ କେନ୍ଦ୍ରପଡା ଗସ୍ତ କରିଥିଲେ । ଗସ୍ତର ଦ୍ଵିତୀୟ ଦିନରେ ସେ ସାତଭାୟା ବଗପାଟିଆ ଅଞ୍ଚଳ ପରିଦର୍ଶନ କରିଥିଲେ ।

ଏହି ସମୟରେ ଭିକେ ପାଣ୍ଡିଆନ୍ ବିସ୍ଥାପିତ ଲୋକମାନଙ୍କୁ ଭେଟିଥିଲେ , ସେମାନଙ୍କ ସମସ୍ୟା ବୁଝିଥିଲେ । ସରକାରଙ୍କ ଯୋଜନା ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ମତାମତ ପଚାରି ବୁଝିଥିଲେ । ପରେ ଭୁବନେଶ୍ବର ଫେରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ସମ୍ପର୍କରେ ଅବଗତ କରିଥିଲେ । ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ସାତଭାୟା ବଗପାଟିଆ ଆଦର୍ଶ କଲୋନୀ ନିମନ୍ତେ ପ୍ରଥମ ପର୍ୟ୍ୟାୟରେ ତୁରନ୍ତ ୨୨ କୋଟି ୫୦ ଲକ୍ଷ ୭୧ ହଜାର ଟଙ୍କା ପ୍ୟାକେଜ ମଞ୍ଜୁର କରିଛନ୍ତି ।

ଏହି ଅର୍ଥରେ ସେ ଅଞ୍ଚଳରେ ବନ୍ଧ ବାଡର ସୁଦୃଢୀକରଣ ସହିତ ହିତାଧିକାରୀଙ୍କ ବାସଗୃହ ,ଜୀବିକା କାର୍ୟ୍ୟକ୍ରମ , ରାସ୍ତା ,ପିଇବା ପାଣି ,ବିଜୁଳି ଓ ପଞ୍ଚାୟତ ଗୃହ ଆଦି ଭିତ୍ତିଭୂମିର ବିକାଶ କରାଯିବ । ଏହା ସହିତ ଲୋକଙ୍କ ଆବଶ୍ୟକତା ଭିତ୍ତିରେ ସେମାନଙ୍କୁ ଚାଷ ଜମି ମଧ୍ୟ ଯୋଗାଇଦିଆଯିବ । ସେହିପରି ପ୍ରସିଦ୍ଧ ପଞ୍ଚୁବରାହୀ ପୀଠରେ ଭିତ୍ତିଭୂମିର ଉନ୍ନତି ଓ ସୌନ୍ଦର୍ୟ୍ୟକରଣ ସହ ଲାଇଟ୍ ଏବଂ ସାଉଣ୍ଡର ବ୍ୟବସ୍ଥା କରାଯାଇ ଏହାକୁ ଏକ ପ୍ରମୂଖ ପର୍ୟ୍ୟଟକ ସ୍ଥାନ ଭବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପର୍ୟ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏ ସମସ୍ତ କାମ ୫-ଟି ଉପକ୍ରମରେ ତୁରନ୍ତ ହାତକୁ ନେଇ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସୂଚନଯୋଗ୍ୟ ଯେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସାତଭାୟା ଅଞ୍ଚଳ ସମୁଦ୍ରରେ ଲୀନ ହୋଇଯାଇଥିବାରୁ କ୍ଷତିଗ୍ରସ୍ତ ଲୋକଙ୍କୁ ବଗପାଟିଆରେ ଥଇଥାନ କରାଯାଉଛି । ଜଳବାୟୁ ପରିବର୍ତ୍ତନ ଦ୍ଵାର ପ୍ରଭାବିତ ଲୋକଙ୍କ ଥଇଥାନ ପାଇଁ ଏହା ଦେଶର ପ୍ରଥମ କଲୋନୀ ।