ପୁଷ୍ଟି ଶସ୍ୟ ଶୁଆଁ ଚାଷ କରି ଚର୍ଚ୍ଚାରେ ସରିତା । ୧୫ ଏକର ଜମିରେ ଫଳାଇଛନ୍ତି ସୁନାର ଫସଲ ।ବର୍ଷକୁ କରୁଛନ୍ତି ୩ଲକ୍ଷରୁ ଅଧିକ ରୋଜଗାର ।

135

କନକ ବ୍ୟୁରୋ: ମିଲେଟ କହିଲେ ଆମେ କେବଳ ମାଣ୍ଡିଆ କୁ ହିଁ ବୁଝିଥାଉ, ହେଲେ ମିଲେଟର ଆହୁରି ଅନେକ ପ୍ରକାରର ଶସ୍ୟ ରହିଛି । ସେଥିମଧ୍ୟରୁ ଆଉ ଏକ ପୁଷ୍ଟି ଶସ୍ୟ ହେଉଛି ଶୁଆଁ । ଯାହା ଏବେ ବିଲୁପ୍ତ ପ୍ରାୟ । ଏହି ଶୁଆଁକୁ ୧୫ ଏକର ଜମିରେ ଚାଷ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ବାଲିଶଙ୍କରା ବ୍ଲକ ତଳସରା ଗାଁର ମହିଳା ଚାଷୀ ସରିତା ସାହୁ । ମାଣ୍ଡିଆକୁ ରାଜ୍ୟ ସରକାର ବିଶେଷ ପ୍ରାଧାନ୍ୟ ଦେଇ ତାର ବ୍ୟବହାର ଏବଂ ଉତ୍ପାଦନ ପାଇଁ ପ୍ରୋତ୍ସାହନ ଦେଉଛନ୍ତି କିନ୍ତୁ ମାଣ୍ଡିଆ ଠାରୁ ପୁଷ୍ଟିକର ଏହି ଶୁଆଁକୁ ଚାଷ କରି ମିଲେଟ ମିଶନକୁ ଏକ ନୂଆ ଦିଗ ଦେଖାଇଛନ୍ତି ଏହି ମହିଳା ଚାଷୀ ।

ସବୁଜ କ୍ଷେତରେ ଫଳିଛି ସୁନାର ଫସଲ । ଲହଡି ଭଙ୍ଗୁଛି କେଣ୍ଡା କେଣ୍ଡା ଶସ୍ୟ । ଆପଣ ଭାବୁଥିବେ ଏହା ଚାଷୀର କ୍ଷେତରେ ଅମଳ ହେବାକୁ ଥିବା ଧାନ କି ଗହମ ବୋଲି, ହେଲେ ତାହା ନୁହେଁ ଏହା ହେଉଛି ବିଲୁପ୍ତ ପ୍ରାୟ ଶୁଆଁ ଚାଷର କେଣ୍ଡା । ଆଉ ଏହାକୁ ଫଳାଇଛନ୍ତି ସୁନ୍ଦରଗଡ ବାଲିଶଙ୍କରା ବ୍ଲକ ତଳସରା ଗାଁର ମହିଳା ଚାଷୀ ସରିତା ସାହୁ । ନିଜର ବୋଲି ଜମି କିଛି ନାହିଁ ଅନ୍ୟ ଚାଷୀଙ୍କ ଠାରୁ ୧୫ଏକର ପଡିଆ ଜମି ଆଣି ଭାଗଚାଷ କରିଛନ୍ତି ସରିତା । ଅନେକ ଦିନରୁ ଲୁପ୍ତ ହୋଇଥିବା ଏହି ଫସଲକୁ ସହଜରେ କେହି ଚାଷୀ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁନଥିବା ବେଳେ ମହିଳା ଜଣଙ୍କ ଭାଗଚାଷ କରି ସଫଳ ହୋଇଛନ୍ତି । ଚଳିତ ବର୍ଷ ଏହି ଚାଷରୁ ୩ଲକ୍ଷରୁ ଉର୍ଦ୍ଧ ଆୟର ଲକ୍ଷ୍ୟ ରଖିଛନ୍ତି ସରିତା ।

ଶୁଆଁ ଚାଷ ପ୍ରତି ସରିତାଙ୍କ ଆଗ୍ରହ ଦେଖି କୃଷି ବିଭାଗ, ମିଲେଟ ମିଶନ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ସେବକ ପକ୍ଷରୁ ତାଙ୍କୁ ଯୋଗାଇ ଦିଆଯାଇଛି ବୈଷୟିକ ଜ୍ଞାନ କୌଶଳ ଏବଂ ଚାଷ କରିବା ପାଇଁ ଯନ୍ତ୍ରାଂଶ । ବର୍ତମାନ ସୁଦ୍ଧା ସରାକର ଏହି ଶୁଆଁର ଏମଏସପି ଧାର୍ଯ୍ୟ କରିନଥିବା ବେଳେ ଖୋଲା ବଜାରରେ ଏହା କିଲୋପ୍ରତି ୫୧ ଟଙ୍କା ଦରରେ ବିକ୍ରି ହେଉଛି । ତେବେ ମାଣ୍ଡିଆ ଭଳି ଖୁବଶୀଘ୍ର ଏହି ପୁଷ୍ଟିଶସ୍ୟର ଏମଏସପି ଧାର୍ଯ୍ୟ କରିବା ସହିତ ଅଧିକରୁ ଅଧିକ ଚାଷୀଙ୍କୁ ଚାଷ ପାଇଁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖାଯାଇଛି ।

ମିଲେଟ କହିଲେ କେବଳ ମାଣ୍ଡିଆ ନୁହେଁ, ଶୁଆଁ, କଦୋ, ଗଙ୍ଗେଇ ଭଳି ପୁଷ୍ଟିଶସ୍ୟ ମଧ୍ୟ ରହିଛି । ସାଧାରଣତଃ ଚାଷୀ ମାଣ୍ଡିଆ ଓ ଗଙ୍ଗେଇକୁ ଚାଷ କରୁଥିବା ବେଳେ କଦୋ ଏବଂ ଶୁଆଁ ଚାଷ ଖୁବ୍ କମ୍ ସ୍ଥାନରେ ହେଉଛି । ଅନ୍ୟପଟେ ମାଣ୍ଡିଆ ଅପେକ୍ଷା ଶୁଆଁ ଅଧିକ ପୁଷ୍ଟିକର ଏବଂ ଏଥିରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଇପାରେ । ଏଥିରୁ ବିସ୍କୁଟ, କେକ୍, କ୍ଷୀରି ଭଳି ଅନେକ ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ । ତେଣୁ ଏହି ଚାଷ କରି ମହିଳା ଚାଷୀ ଜଣଙ୍କ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।