ସନ୍ଦେହ ବିଗାଡିଦେଲା ସଂସାର: ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ସ୍ୱାମୀ

149

କନକ ବ୍ୟୁରୋ: ନୟାଗଡ ବାଣିଗୋଛା ଥାନା ବିଡାପାଜୁ ଗାଁରେ ଅର୍ଜୁନ ବାଗ ।  ସ୍ତ୍ରୀକୁ ସନ୍ଦେହ କରି ନିଜ ସଂସାରକୁ ଉଜାଡିଦେଇଛନ୍ତି ଅର୍ଜୁନ । ପରକୀୟ ପ୍ରୀତି ସନ୍ଦେହରେ ନୃଂଶସ ପାଲଟିଯାଇଛି ସ୍ୱାମୀ । ଆଉ ସ୍ତ୍ରୀକୁ ଟାଙ୍ଗିଆରେ ହତ୍ୟା କରି  ମୁଣ୍ଡ-ଗଣ୍ଡି ଅଲଗା କରିବା ପରେ କଟାମୁଣ୍ଡକୁ ଧରି ଥାନାରେ ଆତ୍ମସମର୍ପଣ କରିଛନ୍ତି ।  ଗତକାଲି ଏହି ଘଟଣା ଘଟିବା ପରେ ପୁଲିସ ଘଟଣାସ୍ଥଳରେ ପଂହଚି ଛାନଭିନ ଆରମ୍ଭ କରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅର୍ଜୁନ ଗତ ୩ ମାସ ହେଲ ବିଚଳିତ ଅବସ୍ଥାରେ ରହୁଥିଲେ । ପାରିବାରିକ କଳହ ଲାଗି ରହୁଥିଲା ।

ଅର୍ଜୁନ ବାଗ୍  ୬ ବର୍ଷ ତଳେ  ଧରିତ୍ରୀ ବାଗଙ୍କୁ ବିବାହ କରିଥିଲେ । କିନ୍ତୁ ସ୍ତ୍ରୀର ପରକୀୟା ପ୍ରତି ଥିବା ଅର୍ଜୁନ ସବୁବେଳେ ସନ୍ଦେହ କରୁଥିଲେ । ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିଲା ।  ହେଲେ ଶନିବାର ଦିନ ଧରିତ୍ରୀ ବିଲକୁ କାମ କରିବାକୁ ଯାଇଥିବାବେଳେ ଝିଅ କାନ୍ଦିବା ବାହାନାରେ ଡାକିଥିଲେ ଅର୍ଜୁନ । ସ୍ତ୍ରୀ ଘରକୁ ଫେରିବା ପରେ ଟାଙ୍ଗିଆରେ ଚୋଟ ମାରିଥିଲେ । ପରେ କଟାମୁଣ୍ଡକୁ ବସ୍ତାରେ ବାନ୍ଧି ବାଣିଗୋଛା ଥାନାରେ ଆତ୍ମସମର୍ପଣ କରିଥିଲେ । ଧରିତ୍ରୀଙ୍କ ବାପାଙ୍କ ଏତଲାକ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।  ଅର୍ଜୁନ ଓ ଧରିତ୍ରୀଙ୍କ ଜଣେ ୫ ବର୍ଷର ପୁଅ ଓ ୩ ମାସର ଝିଅ ଅଛି । ଆଉ ଏଭଳି ଘଟଣା ସ୍ଥାନୀୟ ଅଂଚଳକୁ ସ୍ତବ୍ଧ କରିଦେଇଛି ।