ସୁନ୍ଦରଗଡ଼ରେ ଓରାମ ସମାଜ ପକ୍ଷରୁ ଆଦିବାସୀଙ୍କ ସରହୁଲ ପୂଜା: ସାଂସ୍କୃତିକ ଶୋଭାଯାତ୍ରା ପରେ ପ୍ରକୃତିକୁ ପୂଜା କଲେ ଆଦିବାସୀ

84

କନକ ବ୍ୟୁରୋ: ସୁନ୍ଦରଗଡ଼ରେ ଓରାମ ସମାଜ ପକ୍ଷରୁ ଆଦିବାସୀଙ୍କ ସରହୁଲ ପୂଜା । ଓରାମ୍ ସାଂସ୍କୃତିକ ସମାଜ ଓଡିଶା ଏବଂ ସୁନ୍ଦରଗଡ ଟାଉନ କମିଟି ପକ୍ଷରୁ ଏହି ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଡିଆରଡିଏ ଛକଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ପୂଜା ସ୍ଥଳକୁ ଯାଇଥିଲା । ଏଥିରେ ସାଂସଦ ଜୁଏଲ ଓରାମ୍ ସାମିଲ ହୋଇଥିଲେ । ରାଣିବଗିଚା ସମାଜ ଭବନ ଠାରେ ପୂଜାର୍ଚ୍ଚନା ଓ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଆଦିବାସୀ ମାନେ ପ୍ରକୃତି ପୂଜକ, ଓରାମ ମାନେ ମଧ୍ୟ ପ୍ରକୃତିକୁ ଆରାଧ୍ୟ ଦେବତା ଭାବରେ ପୂଜାର୍ଚ୍ଚନା କରିଥାନ୍ତି । ମାନ୍ୟତା ଅନୁସାରେ ଚୈତ୍ର ପୂର୍ଣ୍ଣିମା ପୂର୍ବରୁ ଓରାମ୍ ଆଦିବାସୀ ମାନେ ସରହୁଲ ବା ପ୍ରକୃତିକୁ ପୂଜା କରିବା ପରେ ବଣ ଜଙ୍ଗଲରେ ନୂତନ ଭାବରେ ଫଳୁଥିବା କେନ୍ଦୁ, ଚାର, ମହୁଲ, ଆମ୍ବ ଆଦିକୁ ଖାଇଥାନ୍ତି । ସୁନ୍ଦରଗଡରେ ଅନୁଷ୍ଠିତ ଏହି ପୂଜା ଉତ୍ସବରେ ମୁଖ୍ୟଅତିଥି ଭାବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ୍ ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ଉପଜିଲ୍ଲପାଳ, ବିଧାୟିକା କୁସୁମ ଟେଟେ, ଜିଲ୍ଲାପରିଷଦ ଅଧ୍ୟକ୍ଷା କୁନ୍ତି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।