ଶରତ ପଟ୍ଟନାୟକ ନୂଆ ପିସିସି ସଭାପତି । କଂଗ୍ରେସକୁ ସଞ୍ଜିବନୀ ଦେବେ କି ଶରତ? 

160

କନକ ବ୍ୟୁରୋ: ବହୁ ଆଲୋଚନା, ଦିଲ୍ଲୀ ଦୌଡ ଭିତରେ ଶରତ ପଟ୍ଟନାୟକଙ୍କ ନାଁ ଉପରେ ମୋହର ମାରିଛି ଏଆଇସିସି । ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରି ଶରତ ପଟ୍ଟନାୟକଙ୍କୁ ନୂଆ ସଭାପତି ଭାବେ ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ହାଇକମାଣ୍ଡ ।  ସବୁଠାରୁ ଦୁର୍ବଳ ସ୍ଥିତିରେ ରାଜ୍ୟ କଂଗ୍ରେସ ପାଇଁ କେତେ ସାହା ହେବେ ଶରତ ପଟ୍ଟନାୟକ , ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଦ୍ୱିତୀୟ ଥର ପାଇଁ ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି ଭାବେ ଦାୟିତ୍ୱ ମିଳିଛି । ୨୦୦୧ରୁ ୨୦୦୪ ଯାଏଁ ପିସିସି ସଭାପତି ଦାୟିତ୍ୱରେ ଥିଲେ ପଶ୍ଚିମ ଓଡିଶାର ଏହି ଚେହେରା ।

ପିସିସିର ନୂଆ ମଙ୍ଗୁଆଳଙ୍କ ପାଇଁ ଏବେ ଆଗକୁ ଅନେକ ଚ୍ୟାଲେଞ୍ଜ  ରହିବ । 

-ସବୁ ନେତାଙ୍କୁ ଏକାଠି ନେଇ ସମନ୍ୱୟ ରଖିପାରିବେ କି ଶରତ? 

-ଅସନ୍ତୋଷ ଥିବା ବିଧାୟକ ଦଳକୁ କେମିତି ମନାଇବେ ନୂଆ ସଭାପତି ? 

-ବ୍ରଜରାଜନଗର ଉପନିର୍ବାଚନ ଶରତଙ୍କ ପାଇଁ ଅଗ୍ନିପରୀକ୍ଷା ହେବ

-ତୃଣମୂଳସ୍ତରରେ ମନୋବଳ ହରାଇଥିବା କର୍ମୀଙ୍କୁ ଏକାଠି କରିପାରିବେ କି ନୂଆ ସଭାପତି?

– ମତଭେଦ, ଅର୍ନ୍ତଦ୍ୱନ୍ଦ, ଦଳୀୟ କନ୍ଦଳକୁ ଦୂରେଇପାରିବେ କି ନୂଆ ସଭାପତି?

-ବିଜେଡି ଓ ବିଜେପିକୁ ଚେକ୍ ଦେବାକୁ କଣ ରହିବ ନୂଆ ରଣନୀତି?

ନୂଆ ସଭାପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତ ନେତା ଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟକ ।ସେ କହିଛନ୍ତି, ଶରତ କଂଗ୍ରେସକୁ ଆଗେଇନେବେ । ସଭାପତି ପଦରେ ନଥିଲେ ବି ଓଡିଶାର ସ୍ୱାର୍ଥ ପାଇଁ କାମ କରିବେ ବୋଲି କହିଛନ୍ତି ନିରଞ୍ଜନ

ଶରତ ପଟ୍ଟନାୟକ ନୂଆ ସଭାପତି ହେବା ପରେ ଦଳର ନେତାମାନେ ପ୍ରତିକ୍ରିୟା ରଖିଛନ୍ତି । ସେମାନେ କହିଛନ୍ତି, ଦଳ ନୂଆ ଜୋଶରେ କାମ କରିବ । ନୂଆ ସଭାପତି ହେବା ପରେ ଶରତ ପଟ୍ଟାୟକଙ୍କ ପାଇଁ ପ୍ରଥମ ସବୁଠାରୁ ବଡ ଚ୍ୟାଲେଞ୍ଜ ରହିବ ବ୍ରଜରାଜନଗର ଉପନିର୍ବାଚନ । ଦିନରେ କଂଗ୍ରେସର ଗଡ ଥିବା ଏହି ଅଂଚଳରେ ଏବେ ବିଜେଡି ରାଜ କରୁଛି । ସେପଟେ ବିଜେପି ମଧ୍ୟ ପୁରା ଦମ ଲଗାଇବ ବୋଲି ଜଣାପଡୁଛି । ଏଭଳି ସ୍ଥିତିରେ ନୂଆ ସଭାପତି କଣ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିବ ।