ଏମକେସିଜି ମେଡ଼ିକାଲ ଆଗରେ ଘଂଟ ବାଡ଼େଇ ପ୍ରତିବାଦ: ଡାକ୍ତର ପଦବୀ ଖାଲି ପଡିଥିବାକୁ ତେଜୁଛି ଅସନ୍ତୋଷ

51

କନକ ବ୍ୟୁରୋ: ଖାଲିପଡ଼ିଛି ବ୍ରହ୍ମପୁର ଏମକେସିଜି ମେଡ଼ିକାଲ । ନା ଅଛନ୍ତି ଡ଼ାକ୍ତର, ନା ଅଛନ୍ତି ନର୍ସ ଓ ଅନ୍ୟ କର୍ମଚାରୀ । ଧିରେ ଧିରେ ଭୂତ କୋଠି ପାଲଟୁଛି ମେଡ଼ିକାଲର ୪ ର୍ଥ ମହଲା । କୋଠାରେ ଥିବା ଡ଼ାକ୍ତର ଯନ୍ତ୍ରପାତି ଗୁଡ଼ିକ ନଷ୍ଟ ହେବାରେ ଲାଗିଛି । ଏହା ସହ କେହି ନଥିବା ସତ୍ୱେ ମଧ୍ୟ କୋଠାରେ ଦିନ ରାତି ଏସି ଚାଲୁଛି ।

ଭୂତକୋଠି ପାଲଟିଛି ବ୍ରହ୍ମପୁର ଏମକେସିଜି ମେଡ଼ିକାଲ । ମେଡ଼ିକାଲ ଉପରେ ନିର୍ଭର କରନ୍ତି ପାଖାପାଖି ୧୦ଟି ଜିଲ୍ଲା ଓ ପଡ଼ୋଶୀ ଆନ୍ଧ୍ର । କିନ୍ତୁ ଏଠାରେ ବର୍ଷ ବର୍ଷ ଧରି ଡ଼ାକ୍ତରଙ୍କ ଅଭାବ ରହିଛି । ପୂର୍ବରୁ ମେଡ଼ିକାଲରେ କୋଠା ଅଭାବ ରହିଥିଲା , କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଠା ନିର୍ମାଣ କରାଗଲା । କିନ୍ତୁ ଏବେ ଗୋଟିଏ କୋଠାର ୪ ର୍ଥ ମହଲା ପାଲଟିଛି ଭୂତକୋଠି । ଏହି ମହଲାରେ ୨୬ ଟି ଆଇସିୟୁ ବେଡ଼ ରହିଛି , ସମସ୍ତ ପ୍ରକାର ଯନ୍ତ୍ରପାତି ମଧ୍ୟ ରହିଛି ଆଉ ୨୪ ଘଂଟା ଏସି ମଧ୍ୟ ଚାଲିଛି । କିନ୍ତୁ ଏହି ମହଲାରେ ନା ଅଛନ୍ତି ରୋଗୀ ନା ଅଛନ୍ତି ଡ଼ାକ୍ତର । ଫଳରେ ଏହି ମହଲାରେ ଥିବା ଯନ୍ତ୍ରପାତି ନଷ୍ଟ ହେବାରେ ଲାଗିଛି । ଦିନରାତି ଏସି ଲାଗିବା ଫଳରେ ବିଦ୍ୟୁତ ବିଲ୍ ମଧ୍ୟ ବଢ଼ିବାରେ ଲାଗିଛି ।

ଡ଼ାକ୍ତରଙ୍କ ଅଭାବକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ଧାରଣା ଦେଇ ଆସୁଛନ୍ତି । କିନ୍ତୁ ଏହାର ସମାଧାନ ଏ ଯାଏ କିଛି ହୋଇପାରି ନାହିଁ । ଏହା ସହ ୨ ମାସ ମଧ୍ୟରେ ବହୁ ଡ଼ାକ୍ତରଙ୍କ ବଦଳି ହୋଇଛି । ଏବେ ଏହି ମେଡ଼ିକାଲରେ ଡ଼ାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କ ବହୁ ପଦବୀ ଖାଲି ପଡ଼ିଛି । ରୋଗୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ସହ ଏଠାରେ ପାଠପଢୁଥିବା ଛାତ୍ରଛାତ୍ରୀ ମଧ୍ୟ ବହୁ ଅସୁବିଧାର ସାମ୍ନା କରୁଥିବାବେଳେ ଏଠାରେ ଥିବା କୋଠା ଧିରେ ଧିରେ ନଷ୍ଟ ହେବାରେ ଲାଗିଛି ।