କିନ୍ନରଙ୍କ ପାଇଁ ରୋଲ ମଡେଲ ପାଲଟିଲେ ସଲମା । ସର୍ବଭାରତୀୟ ଆଡଭୋକେଟ୍ ପରୀକ୍ଷାରେ ରାଜ୍ୟର ପ୍ରଥମ କିନ୍ନର ଆଇନଜୀବୀ ଭାବେ ହୋଇଛନ୍ତି କୃତକାର୍ଯ୍ୟ

142

କନକ ବ୍ୟୁରୋ : ପୁଣି ଚମକିଲେ କିନ୍ନର ସଲମା । ସର୍ବଭାରତୀୟ ଆଡଭୋକେଟ୍ ପରୀକ୍ଷାରେ ରାଜ୍ୟର ପ୍ରଥମ କିନ୍ନର ଆଇନଜୀବୀ ଭାବେ କୃତକାର୍ଯ୍ୟ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ରୋଏଡା ଗ୍ରାମର କିନ୍ନର ସଲମା ଆଇନଜୀବୀ ଭାବେ ବାର କାଉନସିଲରୁ ଲାଇସେନ୍ସ ହାସଲ କରିଥିଲେ । ଏହାପରେ ଗତବର୍ଷଠାରୁ ବଡବିଲ ଜେଏମଏଫସି କୋର୍ଟରେ ପେଷାଦାର ଆଇନଜୀବୀ ଭାବେ କାମ କରୁଛନ୍ତି । ଆଉ ଏବେ ସମଗ୍ର ଦେଶରେ ଆଇନଜୀବୀ ଭାବେ ପରିଚୟ ହାସଲ କରିଛନ୍ତି ।

ଏଣିକି ଦେଶର ଯେକୌଣସି ଅଦାଲତରେ ଆଇନଜୀବୀ ଭାବେ ମକୋଦ୍ଦମା ଲଢିପାରିବେ ସଲମା । ଅତ୍ୟନ୍ତ ଗରୀବ ଓ ସଂଖ୍ୟାଲଘୁ ପରିବାରରେ ଜନ୍ମିତ ସଲମା ଜଣେ ଶ୍ରମିକଙ୍କ ସନ୍ତାନ ହୋଇ ମଧ୍ୟ ନିଜ ଦୃଢ ଇଚ୍ଛାଶକ୍ତି ଓ ପାଠ ପଢିବାର ନିଶା କାରଣରୁ ସଫଳତା ହାସଲ କରିପାରିଛନ୍ତି । ୩୦ ବର୍ଷୀୟ ସଲମାଙ୍କ ପରିବାରରେ ୫ ଭଉଣୀ ଓ ଜଣେ ଭାଇ ରହିଛନ୍ତି । ସେହିପରି ସଲମା ଅନେକ ସାମାଜିକ କାର୍ଯ୍ୟରେ ମଧ୍ୟ ଅନେକ ସମୟରେ ଲିପ୍ତ ରୁହନ୍ତିି । ସଲମା ଏବେ କେବଳ କେନ୍ଦୁଝର ନୁହେଁ ବରଂ ପୁରା ରାଜ୍ୟର କିନ୍ନର ମାନଙ୍କ ପାଇଁ ରୋଲ ମଡେଲ ପାଲଟିପାରିଛନ୍ତି ।