ଆପଣ ବି ଭୁଲିଯିବେ ବନ୍ଦେ ଭାରତ ଟ୍ରେନ୍, ଯେବେ ଟ୍ରାକରେ ଗଡିବ ହାଇଡ୍ରୋଜେନ୍ ଟ୍ରେନ୍ । ଜାଣନ୍ତୁ, ଏହି ଟ୍ରେନର ଖାସ୍ କଥା…

157

କନକ ବ୍ୟୁରୋ: ଭାରତୀୟ ରେଳ ଏବେ ଦିନକୁ ଦିନ ଉନ୍ନତି ଏବଂ ବିକାଶ ଆଡକୁ ପାଦ ବଢାଉଛି । ଦେଶର ବିଭିନ୍ନ ଅଞ୍ଚଳରେ ଏବେ ବନ୍ଦେ ଭାରତ ଟ୍ରେନ୍ ଚାଲୁଥିବାବେଳେ, ଏହି ଟ୍ରେନକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ଲାଗି ରହିଛି । ହେଲେ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ଏମିତି କିଛି ଟ୍ରେନ୍ ଚାଲିବାକୁ ଯାଉଛି, ଯାହା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ । ୨୦୨୩ ଡିସେମ୍ବର ସୁଦ୍ଧା ଦେଶରେ ଗଡିବାକୁ ଯାଉଛି ହାଇଡ୍ରୋଜେନରେ ଚାଲୁଥିବା ଟ୍ରେନ୍ ।

ଦେଶରେ ଏହି ହାଇଡ୍ରୋଜେନ୍ ଚାଲିଲେ ଦେଶର ଗମନାଗମନ କ୍ଷେତ୍ରରେ ଏକ ବୈପ୍ଲବିକ୍ ପରିବର୍ତନ ଆସିବ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁତାବକ ଗ୍ରୀନ୍ ଇନିସିଏଟିଭକୁ ଆଗକୁ ବଢାଇବା ପାଇଁ ଦେଶରେ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଗଡିବ । ତେବେ ଆଧୁନିକ ସୁବିଧା ସହିତ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଦେଶର ଟ୍ରେନ୍ ଟ୍ରାକରେ ଗଡିବ ବୋଲି କୁହାଯାଇଛି ।

ହାଇଡ୍ରୋଜେନ୍ ଟ୍ରେନ୍ କଣ?

ହାଇଡ୍ରୋଜେନ୍ ଫୁଏଲରେ ଚାଲୁଥିବା ଟ୍ରେନ୍ ହେଉଛି ଏହି ହାଇଡ୍ରୋଜେନ୍ ଟ୍ରେନ୍ । ଏହି ରେଳ ଗାଡିରେ ଡିଜେଲ୍ ଇଞ୍ଜିନ୍ ବଦଳରେ ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ସ ଲଗାଯାଇଥାଏ । ଖାଲି ସେତିକି ନୁହେଁ, ଏହି ଟ୍ରେନରୁ କୌଣସି କାର୍ବନ ଡାଇଆକ୍ସସାଇଡ୍ ନିର୍ଗତ ନହେଉଥିବାବେଳେ, ଏହା ବାୟୁକୁ ମଧ୍ୟ ପ୍ରଦୁଷିତ କରିନଥାଏ ।

ହାଇଡ୍ରୋଜେନ୍ ଟ୍ରେନର ଖାସ୍ କଥା

  • ହାଇଡ୍ରୋଜେନରେ ଚାଲୁଥିବା ଟ୍ରେନକୁ ଡାଇଡ୍ରେଲ୍ ଟ୍ରେନ୍ ମଧ୍ୟ କୁହାଯାଏ
  • ଏହି ଟ୍ରେନ୍ ବିନା ଧୂଆ ନିର୍ଗତ କରି ଚାଲିଥାଏ, ପରିବେଶ ପ୍ରଦୁଷଣର ଭୟ ନଥାଏ
  • ପ୍ରଥମେ ଏହି ଟ୍ରେନ୍ ହରିୟାଣାରେ ଚାଲିବା ନେଇ ଯୋଜନା ଚାଲିଛି
  • ଏହାପରେ ଦାର୍ଜିଲିଂ, ଶିମଲା ଆଦି ଅଞ୍ଚଳରେ ଏହି ଟ୍ରେନ୍ ଚଲେଇବାକୁ ଯୋଜନା କରୁଛି ରେଳ ବିଭାଗ
  • ଘଣ୍ଟାପ୍ରତି ୧୪୦ କିଲୋମିଟର ବେଗରେ ଗଡିପାରିବ ଏହି ହାଇଡ୍ରୋଜେନ୍ ଟ୍ରେନ୍
  • କପୁରଥାଲାରେ ଏହି ଟ୍ରେନକୁ ପ୍ରସ୍ତୁତ କରାଯାଉଛି

ତେବେ ଡିଜେଲରେ ଚାଲୁଥିବା ଟ୍ରେନ୍ ତୁଳନାରେ ହାଇଡ୍ରୋଜେନ୍ ଟ୍ରେନ୍ ହେଉଛି ମହଙ୍ଗା ଟ୍ରେନ୍ । ସୂଚନା ମୁତାବକ, ହାଇଡ୍ରୋଜେନ୍ ଫୁଏଲର କିଲୋପ୍ରତି ଦାମ ହେଉଛି ୪୯୨ ଟଙ୍କା । ତେବେ ଡିଜେଲ ତୁଳନାରେ ହାଇଡ୍ରୋଜେନରେ ଟ୍ରେନ୍ ସଞ୍ଚାଳନ କ୍ଷମତା ୨୭ ପ୍ରତିଶତ ଅଧିକ ଅଟେ । ୟୁରୋପୀୟ ଦେଶ ଜର୍ମାନୀରେ ପ୍ରଥମେ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଚାଲିସାରିଛି ।