ସେନ୍ ୱାର୍ଣ୍ଣଙ୍କ ସ୍ୱପ୍ନରେ ଆସୁଥିଲେ ସଚିନ୍ । ପଡିଆ ଭିତରେ ମାରୁଥିଲେ ଛକା ପରେ ଛକା…

204

କନକ ବ୍ୟୁରୋ : ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ସେନ୍ ୱାର୍ଣ୍ଣଙ୍କ ଅଚାନକ ପରଲୋକ ଘଟିଛି । ଥାଇଲାଣ୍ଡରେ ହୃଦଘାତରେ ତାଙ୍କର ପରଲୋକ ଘଟିଥିବା ନେଇ ସୂଚନା ମିଳିଛି । ଯାହା ପରେ କ୍ରିକେଟ ଜଗତରେ ଗୋଟିଏ ଯାଦୁଗରୀ ଯୁଗର ଅନ୍ତ ଘଟିଛି ।

ଅଷ୍ଟ୍ରେଲିଆର ଏହି ବୋଲର ଜଣକ ନିଜ କ୍ୟାରିୟରରେ ଅନେକ ମାଇଲଖୁଣ୍ଟ ଅତିକ୍ରମ କରିଥିଲେ । ୧୯୯୨ ମସିହାରେ ଟିମ୍ ଇଣ୍ଡିଆ ବିରୋଧରେ ହିଁ ତାଙ୍କର କ୍ୟାରିୟର ଆରମ୍ଭ ହୋଇଥିଲା । ସିଡନୀରେ ଖେଳାଯାଇଥିବା ଏହି ମ୍ୟାଚରେ ସେ ରବି ଶାସ୍ତ୍ରୀଙ୍କ ୱିକେଟ୍ ନେଇ ନିଜ କ୍ୟାରିୟର ଗଢିବା ଆରମ୍ଭ କରିଥିଲେ । ଆଉ ପରେ ପରେ ସ୍ପିନ ଦୁନିଆର ଜଣେ କିମ୍ବଦନ୍ତୀ ଖେଳାଳି ପାଲଟିଯାଇଥିଲେ ।

ଅନେକ ଷ୍ଟାର ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଉଥିବା ସେନ୍ ୱାର୍ଣ୍ଣ ସଚିନ ତେନ୍ଦୁଲକରଙ୍କ ନିକଟରେ କିନ୍ତୁ ହାର୍ ମାନିଥିଲେ । ଏକଦା ସେ କହିଥିଲେ, ସଚିନ ତାଙ୍କ ସ୍ୱପ୍ନରେ ଆସି ତାଙ୍କୁ ଛକା ମାରୁଛନ୍ତି । ତେବେ ଏହି ଘଟଣା ଥିଲା ୧୯୯୮ ମସିହା ତ୍ରି-କୋଣୀୟ ସିରିଜର । ଶାରାଜାହରେ ଖେଳାଯାଇଥିବା ଭାରତ- ଅଷ୍ଟ୍ରେଲିଆ ମ୍ୟାଚରେ ସଚିନ ତେନ୍ଦୁଲକର ସେନ୍ ୱାର୍ଣ୍ଣଙ୍କୁ କରିଥିଲେ ଜବରଦସ୍ତ ପ୍ରହାର । ଏହି ଇଂନିସରେ ସଚିନ ୧୩୪ ରନ କରିଥିବା ବେଳେ ଅଷ୍ଟ୍ରେଲିଆକୁ ପରାଜୟର ସ୍ୱାଦ ଚଖାଇଥିଲେ । ତେବେ ଏହି ମ୍ୟାଚର ବହୁ ବର୍ଷ ପରେ ସେନ୍ ୱାର୍ଣ୍ଣ କହିଥିଲେ, ସେତେବେଳେ ସଚିନ ତାଙ୍କ ସ୍ୱପ୍ନରେ ଆସି ତାଙ୍କୁ ଛକା ମାରୁଥିବା ସେ ରାତିରେ ଦେଖୁଥିଲେ ।

ତେବେ ଯଦି ସେନ୍ ୱାର୍ଣ୍ଣଙ୍କ କ୍ରିକେଟ୍ କ୍ୟାରିୟର କଥା କହିବା, ତେବେ ସେ ୧୪୫ଟି ଟେଷ୍ଟ, ୧୯୪ଟି ଦିନିକିଆ, ୭୩ଟି ଟି-୨୦ ମ୍ୟାଚ୍ ଖେଳିଥିଲେ । ଖାଲି ସେତିକି ନୁହେଁ, ୧୪୫ ଟେଷ୍ଟ ମ୍ୟାଚରେ ସେ ନେଇଥିଲେ ୭୦୮ଟି ୱିକେଟ୍ । ମୁରଲୀଧରନଙ୍କ ପରେ ସେ ହେଉଛନ୍ତି ଏକମାତ୍ର ଖେଳାଳି ଯିଏକି ହଜାରେରୁ ଅଧିକ ସଫଳତା ପାଇଥିଲେ ।