ଜୋରଦାର ହେଉଛି ଅପରେସନ୍ ଗଙ୍ଗା । ଯୁଦ୍ଧ ପ୍ରବଣ ଖାରକିଭରୁ ଫେରୁଛନ୍ତି ୬୫ ଓଡିଆ ଛାତ୍ରଛାତ୍ରୀ

141

କନକ ବ୍ୟୁରୋ: ବାରୁଦ ଗଦା ଉପରେ ଛିଡା ହୋଇଥିବା ୟୁକ୍ରେନରୁ ଫେରୁଛନ୍ତି ଡାକ୍ତରୀ ପାଠ ପଢ଼ିବାକୁ ଯାଇ ଫସି ଯାଇଥିବା ଓଡିଆ ଛାତ୍ରଛାତ୍ରୀ । ଏପର୍ଯ୍ୟନ୍ତ ବହୁ ଓଡିଆ ଛାତ୍ରଛାତ୍ରୀ ଦେଶକୁ ଫେରିଥିଲେ ବି ଆଉ କିଛି ଛାତ୍ରଛାତ୍ରୀ ଫସି ରହିଥିଲେ । ଦିନକୁ ଦିନ ଋଷ ସେନାର ଆକ୍ରମଣ ଉଗ୍ର ହେଉଥିବାରୁ ସେମାନେ ଏକପ୍ରକାର ଭୟ ଓ ଆତଙ୍କ ଭିତରେ ରହୁଥିଲେ । ଆଜି ସେମାନଙ୍କ ମଧ୍ୟରୁ ୬୫ଜଣ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଦୁଇଟି ବସ ଯୋଗେ ନିରାପଦ ସ୍ଥାନକୁ ଆଣିବାରେ ସଫଳ ହୋଇଛନ୍ତି ଏବଂ ସ୍ୱତନ୍ତ୍ର ବିମାନରେ ଦେଶକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା ହୋଇଛି ।

ୟୁକ୍ରେନ ଛାଡି ଭାରତ ଫେରୁଥିବା ଓଡିଆ ଛାତ୍ରଛାତ୍ରୀଙ୍କୁ ଦେଖିଲେ ବୁଝିହେଉଛି ଯେ ୱାର୍ ଜୋନରୁ ଆସିବା ପରେ ଏମାନେ କେତେ ଖୁସି । କିଛି ଦିନ ହେବ ଯୁଦ୍ଧ ଭୂମିରେ ବିତିଥିଲା ଏମାନଙ୍କ ସମୟ । ମୃତ୍ୟୁକୁ ଅତି ନିକଟରୁ ଦେଖିବା ପରେ ସେସବୁକୁ ଭୁଲି ଭାରତ ଅଭିମୁଖେ କରୁଛନ୍ତି ଯାତ୍ରା । ୟୁକ୍ରେନର ଖାର୍କିଭରୁ ସ୍ୱତନ୍ତ୍ର ବସରେ ୬୫ ଓଡିଆ ଛାତ୍ରଛାତ୍ରୀଙ୍କୁ ନେଇ ପୋଲାଣ୍ଡକୁ ବାହାରିଛି ବସ । ରାଜ୍ୟ ସରକାର ସ୍ୱତନ୍ତ୍ର ବସର ବ୍ୟବସ୍ଥା କରିଥିବା ଛାତ୍ରଛାତ୍ରୀ କହିଛନ୍ତି ।

ବିଦେଶ ମାଟିରୁ ଜନ୍ମମାଟି ଫେରିବା ପରେ ଆଶ୍ୱସ୍ତ ହୋଇଛନ୍ତି ଛାତ୍ରଛାତ୍ରୀ । କିଛି ସମୟ ଦିଲ୍ଲୀରେ ରହିବା ପରେ ଓଡିଶା ଫେରୁଛନ୍ତି । ଜୀବନ ବଞ୍ଚାଇ ସୁରକ୍ଷିତ ଫେରିଛନ୍ତି ସତ ହେଲେ ଆଖି ସାମ୍ନାରେ ଏବେ ବି ନାଚୁଛି ୟୁକ୍ରେନର ଘଟିଥିବା ଛାତିଥରା ଦୃଶ୍ୟ । ତେବେ ଅପରେସନ ଗଙ୍ଗାରେ ଭାରତୀୟ ଛାତ୍ରଛାତ୍ରୀ ସ୍ୱଦେଶ ଫେରିଥିବାବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ଅନେକ ଓଡିଆ ଛାତ୍ରଛାତ୍ରୀ ।