କଟକ : ଅର୍ଥ ମଞ୍ଜୁର ପରେ ଆରମ୍ଭ ହେଲା ରାସ୍ତା ମରାମତି କାମ , ହେଲେ ସୂଚନା ଫଳକ ଲାଗି ନଥିବାରୁ ଦେଖାଦେଇଛି ଅସନ୍ତୋଷ

28

କନକ ବ୍ୟୁରୋ : ଦୀର୍ଘଦିନର ଦାବିପରେ ରାସ୍ତା ମରାମତି ପାଇଁ ସରକାର ଅର୍ଥ ମଞ୍ଜୁର କରିଛନ୍ତି । ମରାମତି କାମ ମଧ୍ୟ ଆରମ୍ଭ ହୋଇଛି, ହେଲେ କାର୍ଯ୍ୟସ୍ଥଳରେ ସୂଚନା ଫଳକ ଲାଗି ନଥିବାରୁ ଅସନ୍ତୋଷ ଦେଖାଦେଇଛି । କାମର ମାନକୁ ନେଇ ପ୍ରଶ୍ନ କରିଛନ୍ତି କଟକ ଜିଲ୍ଲା କଂଟାପଡା ବ୍ଲକ ଗୋବିନ୍ଦପୁର ବାସିନ୍ଦା ।

କଟକର ବାରଙ୍ଗ ବ୍ଲକ ମହିଧରପଡା ଠାରୁ କଂଟାପଡା ଗୋବିନ୍ଦପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାଇଁ ଆରମ୍ଭ ହୋଇଛି ମରାମତି କାମ । କଟକ ଗ୍ରାମ୍ୟ ଉନ୍ନୟନ ବିଭାଗ (୧) ଅଧିନରେ ଥିବା ଏହି ରାସ୍ତା ବର୍ଷବର୍ଷ ଧରି ଖାଲଖମାରେ ଭର୍ତ୍ତି ହୋଇ ରହିବା ପରେ ସରକାରଙ୍କ ନଜର ପଡିଛି । ରାସ୍ତା ମରାମତି ପାଇଁ ଅର୍ଥ ମଞ୍ଜୁର ହୋଇ ଏବେ କାମ ଚାଲିଛି । ହେଲେ କାମକୁ ନେଇ ସୂଚନାଫଳକ ଲାଗିନଥିବାରୁ କାମର ମାନଙ୍କୁ ନେଇ ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ସେପଟେ ପୂର୍ବାପେକ୍ଷା ବର୍ତ୍ତମାନ ଉନ୍ନତମାନର କାମ କରାଯାଉଥିବା କହିଛନ୍ତି ବିଭାଗୀୟ ଅଧିକାରୀ । କାର୍ଯ୍ୟସ୍ଥଳରେ ସୂଚନା ଫଳକ ନ ଲଗାଇବା ପାଇଁ ବିଭାଗୀୟ ନିର୍ଦ୍ଦେଶ ରହିଥିବା ନେଇ କହିବା ସହ ଲାଗିଥିଲେ ଭଲ ହୋଇଥାନ୍ତା ବୋଲି ସେ ସ୍ୱୀକାର କରିଛନ୍ତି । ଗୋଟିଏ ପଟେ ଲୋକଙ୍କ ଅଭିଯୋଗ, ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା । ଏହାରି ଭିତରେ କାମର ମାନ କେତେ ଉନ୍ନତ ତାହା ଆଗାମୀ ଦିନ ହିଁ କହିବ ।