ଦୁବାଇ ପୋଲିସ୍ ବନ୍ଦକଲା ଶ୍ରୀଦେବୀଙ୍କ ମୃତ୍ୟୁ ମାମଲା : ପବ୍ଲିକ ପ୍ରସିକ୍ୟୁଟରଙ୍କ କ୍ଲିଅରାନ୍ସ ମିଳିବା ପରେ ଆରମ୍ଭ ହେଲା ଶବ ହସ୍ତାନ୍ତର ପ୍ରକ୍ରିୟା

30

ଶ୍ରୀଦେବୀଙ୍କ ମୃତ୍ୟୁ ଘଟଣାରେ କେସ୍ ବନ୍ଦ କଲେ ଦୁବାଇ ପବ୍ଲିକ ପ୍ରସିକ୍ୟୁଟର । ପୂରା ତଦନ୍ତ ପରେ କେସ ବନ୍ଦ କରିବାକୁ ନିଷ୍ପତି ନେଲେ ପବ୍ଲିକ ପ୍ରସିକ୍ୟୁଟର । ଏହାସହ ତାଙ୍କ ମରଶରୀର ପରିବାରକୁ ହସ୍ତାନ୍ତର ପାଇଁ ମିଳିଲା କ୍ଲିୟରାନ୍ସ ମିଳିଛି । ଦୁବାଇ ପବ୍ଲିକ ପ୍ରସିକ୍ୟୁସନ ଏହି କ୍ଲିୟରାନ୍ସ ପ୍ରଦାନ କରିଛନ୍ତି । ଫଳରେ ଖୁବଶୀଘ୍ର ଆରମ୍ଭ ହେବ ମୃତଦେହ ସଂରକ୍ଷଣ ପ୍ରକ୍ରିୟା । ଏଥିପାଇଁ ୩ରୁ ୪ଘଂଟା ସମୟ ଲାଗିପାରେ । ଆଶା କରାଯାଉଛି ସମସ୍ତ ପ୍ରକ୍ରିୟା ଶେଷ କରି ଆଜି ସଂଧ୍ୟା ସୁଦ୍ଧା ମୁମ୍ବାଇରେ ପହଂଚିପାରେ ମୃତଦେହ । ଦୁବାଇର ପ୍ରମୁଖ ଗାଣମାଧ୍ୟମ ଖଲିଜ ଟାଇମ୍ସ ରିପୋର୍ଟ ଅନୁସାରେ ଆକସ୍ମିକ ମୃତ୍ୟୁ ନେଇ ଅଧିକ ଛାନଭିନ କରିଥିଲେ ପବ୍ଲିକ ପ୍ରସିକ୍ୟୁଟର ।

sridevi

ନିୟମ ଅନୁସାରେ ହସ୍ପିଟାଲ ବାହାରେ କାହାରି ମୃତ୍ୟୁ ହେଲେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥାଏ ଦୁବାଇ ପବ୍ଲିକ ପ୍ରସିକ୍ୟୁସନ୍ । ସେହି ଅନୁସାରେ ଶ୍ରୀଦେବୀଙ୍କ ସ୍ୱାମୀ ବୋନି କାପୁୁରଙ୍କ ସହ ହୋଟେଲ କର୍ମଚାରୀମାନଙ୍କୁ ଗତ ରାତିରେ ପଚରାଉଚର କରାଯାଇଥିଲା । ବୋନି କାପୁରଙ୍କ ଫୋନକଲ ଡିଟେଲ୍ସ ମଧ୍ୟ ଯାଂଚ କରାଯାଇଛି । ଖଲିଜ ଟାଇମ୍ସ ଅନୁସାରେ ଆଜି ଆଉ ପଚରାଉଚରା କରାଯାଇ ନାହିଁ । ଏପଟେ ଆଉଏକ ସୂଚନା ଅନୁଯାୟୀ ଶ୍ରୀଦେବୀଙ୍କ ମୃତଦେହ ଆଣିବା ଲାଗି ଆଜି ମୁମ୍ବାଇରୁ ଦୁବାଇ ଅଭିମୁଖେ ଯାଇଛନ୍ତି ବୋନି କପୁରଙ୍କ ପୁଅ ଅର୍ଜୁନ କପୁର । ଗତକାଲି ଶବ ବ୍ୟବଚ୍ଛେଦ ପରେ ଶ୍ରୀଦେବୀଙ୍କ ହୋଟେଲ ବାଥଟବରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଥିଲା । ସଂପର୍କୀୟଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଯାଇ ଦୁବାଇରେ ଶନିବାର ରାତିରେ ପ୍ରାଣ ହରାଇଥିଲେ ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀ । ଘଟଣାକୁ ୪ଦିନ ହୋଇଥିଲେ ବି ଆଜିଯାଏ ମୁମ୍ବାଇ ଫେରିନାହିଁ ଶ୍ରୀଦେବୀଙ୍କ ପାର୍ଥିବ ଶରୀର । ଏପଟେ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ଚାହିଁ ରହିଛନ୍ତି ଅନ୍ୟ ସଂପର୍କୀୟ ଓ ପ୍ରଶଂସକ ।