ନାଗାର୍ଜୁନ ବେଶ… ଆଶା ଥିଲା, ମଉଳିଗଲା !

ବର୍ଷକ ପାଇଁ ନୀତି ନିର୍ଘଂଟ ପରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ, ପାଞ୍ଜିଗଣନାକାରୀ ଏବଂ ଶ୍ରୀମନ୍ଦିର ନୀତିପ୍ରଶାସକ ଏହା ସ୍ପଷ୍ଟ କରିଛନ୍ତି । 

158

କନକ ବ୍ୟୁରୋ : ଚଳିତ ବର୍ଷ ପଡୁନି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜ୍ଜୁନ ବେଶ । ବର୍ଷକ ପାଇଁ ନୀତି ନିର୍ଘଂଟ ପରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ, ପାଞ୍ଜିଗଣନାକାରୀ ଏବଂ ଶ୍ରୀମନ୍ଦିର ନୀତିପ୍ରଶାସକ ଏହା ସ୍ପଷ୍ଟ କରିଛନ୍ତି ।  ସେମାନଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ନାଗାର୍ଜ୍ଜୁନ ବେଶ ପଡୁନାହିଁ । ଏନେଇ କେତେକ କ୍ୟାଲେଣ୍ଡର ଓ ପଞ୍ଜିକା ଭୁଲ ତଥ୍ୟ ଦେଇଥିଲେ । ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଉଥିବା ପାଞ୍ଜିକାରକ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମତ ଦେଇଛନ୍ତି ମୁକ୍ତିମଣ୍ଡପ ସଭାର ସଦସ୍ୟ ।

ଚଳିତ ବର୍ଷ ଶ୍ରୀମନ୍ଦିରରେ ପାଳନ ହେବାକୁ ଥିବା ବିଭିନ୍ନ ପର୍ବପର୍ବାଣୀକୁ ଅନୁମୋଦନ ନେଇ ପାଞ୍ଜିକାରକ ଓ ମୁକ୍ତି ମଣ୍ଡପ ପଣ୍ଡିତଙ୍କର ବୈଠକ ବସିଥିଲା । ଏହି ବୈଠକର ନିଷ୍ପତି ଅନୁସାରେ ଶ୍ରୀମନ୍ଦିର ଅନୁମୋଦିତ ପଞ୍ଜିକାରେ ପ୍ରକାଶିତ ସମସ୍ତ ପର୍ବପର୍ବାଣି ପାଳନ ହେବ । ଚଳିତ ବର୍ଷ ମହାପ୍ରଭୁଙ୍କର ନାଗାର୍ଜ୍ଜୁନ ବେଶ ପଡୁଥିବା ନେଇ ପୂର୍ବରୁ ବିଭିନ୍ନ କ୍ୟାଲେଣ୍ଡର ଓ ପଞ୍ଜିକାରେ ପ୍ରକାଶ ପାଇଥିଲା ।

ଗତବର୍ଷ ନଭେମ୍ବର ୨୭ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା । କରୋନା ସଂକ୍ରମଣ ଭୟରେ ବିନା ଭକ୍ତରେ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ ପୁଣି ନାଗାର୍ଜୁନ ବେଶ ପଡିବ ବୋଲି କୁହାଯାଇଥିଲା । ଏପରିକି ସେବାୟତ ମାନେ କହୁଥିଲେ, ଲଗାତର ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡିବା ନୁଆ ନୁହେଁ । ୧୯୬୭-୬୮ ଓ ୧୯୯୩-୯୪ରେ ଲଗାତର ନାଗାର୍ଜୁନ ବେଶ ପଡିଥିଲା । ତେଣୁ କୋଭିଡ କଟକଣା ଭିତରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖିପାରିନଥିବା ଭକ୍ତ ଆଶା କରିଥିଲେ, ଏବର୍ଷ ଶ୍ରୀଜିଉଙ୍କୁ ଯୋଦ୍ଧା ବେଶରେ ଦର୍ଶନ କରିବେ । ହେଲେ ନୁଆ ନୀତି ନିର୍ଘଂଟ ପରେ ଏହି ଆଶା ମଉଳିଯାଇଛି ।