ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ଟିପ୍ପଣୀ ପ୍ରସଙ୍ଗ : ନୂପୁର ଶର୍ମାଙ୍କୁ ଜାରି ହେବ ସମନ୍

146

କନକ ବ୍ୟୁରୋ : ବୟାନ ଯୋଗୁଁ ବିବାଦୀୟ ହୋଇପଡିଥିବା ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ସମନ କରିବ ମୁମ୍ବାଇ ପୋଲିସ । ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ଟିପ୍ପଣୀ ପ୍ରସଙ୍ଗରେ ଖୁବଶୀଘ୍ର ସମନ ଜାରି କରାଯିବ । ସୋମବାର ଏହି ସୂଚନା ଦେଇଛନ୍ତି ମୁମ୍ବାଇ ପୋଲିସ କମିଶନର ସଞ୍ଜୟ ପାଣ୍ଡେ । ଏକ ଟିଭି ଡିବେଟରେ ଭାଗ ନେଇ ମୁମଲମାନ ଧର୍ମଗୁରୁ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ନୁପୁର ଶର୍ମାଙ୍କ ବିରୋଧରେ ମେ’ ୨୮ ତାରିଖରେ ଥାନାରେ ମାମଲା ହୋଇଥିଲା ।

ତାଙ୍କ ବିରୋଧରେ ଆଇପିସିର ଧାରା ୨୯୫-ଏ ଅର୍ଥାତ ଜାଣିଶୁଣି ଅନ୍ୟର ଧର୍ମକୁ କିମ୍ବା ଧର୍ମୀୟ ଭାବନାକୁ କ୍ଷତି ପହଂଚାଇବା, ୧୫୩-ଏ ଅର୍ଥାତ ଗୋଷ୍ଠୀ-ଗୋଷ୍ଠୀ ମଧ୍ୟରେ ବିଭେଦ ସୃଷ୍ଟି ଏବଂ ୫୦୫- ଉପଧାରା ଦୁଇ ଅର୍ଥାତ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବୟାନ ଦେବା ଭଳି ମାମଲା ସବୁ ରୁଜୁ ହୋଇଛି । ସେପଟେ ନୂପୁର ଶର୍ମାଙ୍କ ବୟାନ ଓ ତାଙ୍କୁ ସମର୍ଥନ କରି ନବୀନ କୁମାର ଜିନ୍ଦଲଙ୍କ ଟ୍ୱିଟ୍କୁ ନେଇ କୁଟନୈତିକ ସ୍ତରରେ ଭାରତକୁ ପ୍ରବଳ ବିରୋଧ ହେଉଛି । ଗଲ୍ଫ ଦେଶ କାତାର, କ୍ୱେତ୍, ବାହାରିନ, ଇରାନ, ଜୋର୍ଡାନ, ମାଳଦୀପ, ଇଜିପ୍ଟ ଏବଂ ଓମାନ କଡା ଟିପ୍ପଣୀ କରିଛନ୍ତି ।

ବିଶ୍ୱରେ ମୁସଲିମ ସମ୍ପ୍ରଦାୟର ନେତୃତ୍ୱ ନେଉଥିବା ଇସଲାମିକ୍ କୋ-ଅପରେସନ୍ ସଂଘ ତଥା ଓଆଇସି ବିଜେପିର ଦୁଇ ନେତାଙ୍କ ବୟାନକୁ ତିବ୍ର ବିରୋଧ କରିଛି । ବିଭିନ୍ନ ଗଲଫ ଓ ମୁସଲିମ ବହୁଳ ଦେଶ ଏଭଳି ଆପତ୍ତିଜନକ ବୟାନ ବିରୋଧରେ ଭାରତ ସରକାରଙ୍କଠୁ କ୍ଷମା ପ୍ରାର୍ଥନା ଦାବି କରୁଛନ୍ତି । ଭାରତୀୟ ସାମଗ୍ରୀ ଓ ଚଳଚିତ୍ର ବର୍ଜନ ପାଇଁ ମଧ୍ୟ ସୋସିଆଲ ମିଡିଆରେ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ନୂପୁରଙ୍କ ବୟାନକୁ ନେଇ ମିଳିତ ଜାତିସଂଘର ମାନାବାଧିକାର ସଂଗଠନକୁ ଓଆଇସି ଅଭିଯୋଗ କରିଛି ।