ପୁଣି ଗର୍ଭବତୀଙ୍କୁ ଖଟିଆରେ ବୋହିଲେ ସମ୍ପର୍କୀୟ । ଆମ୍ବୁଲାନ୍ସ ନ ମିଳିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ ।

91

କନକ ବ୍ୟୁରୋ: ପୁଣି ଗର୍ଭବତୀଙ୍କୁ ଖଟିଆରେ ବୋହିଲେ ସମ୍ପର୍କୀୟ । ସୁରକ୍ଷିତ ମାତୃତ୍ୱ ଓ ଶିଶୁ ମୃତ୍ୟୁହାର ରୋକିବା ପାଇଁ ସରକାର ଅନେକ ଯୋଜନା କରୁଥିବା ବେଳେ  ଗର୍ଭବତୀଙ୍କ ଚିକିତ୍ସା ପାଇଁ ସମ୍ପର୍କୀୟ ମାନେ ଖଟିଆରେ ବୋହିନେବା ଏକ ଦୁଃଖର ବିଷୟ ପାଲଟିଛି । ଏଭଳି ଖବର ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ତୁମୁଡ଼ିବନ୍ଧ ବ୍ଲକରୁ । ତୁମୁଡ଼ିବନ୍ଧ ବ୍ଲକ ନିଲିଙ୍ଗପଦର ଗାଁକୁ  ଯାତାୟତ ପାଇଁ ରାସ୍ତାର ସୁବିଧା ନାହିଁ । ଗର୍ଭବତୀଙ୍କୁ ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସକୁ ପରିବାର ଲୋକ ଯୋଗାଯୋଗ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ନପହଞ୍ଚିବାରୁ ତାଙ୍କ ପରିବାର ଲୋକ ପାହାଡ଼ିଆ ରାସ୍ତାରେ ଖଟିଆରେ ବୋହିନେବାକୁ ବାଧ୍ୟ ହୋଇଥିଲେ । ସୂଚନା ଅନୁସାରେ ନିଲିଙ୍ଗପଦର ଗାଁର ବାଲେଶ୍ୱର ପାଟ୍ଟମାଝିଙ୍କ ସ୍ତ୍ରୀ ଚୁମୁକି ପାଟ୍ଟମାଝୀ ୩ ମାସର ଗର୍ଭବତୀ ଥିଲେ ହେଲେ ତାଙ୍କୁ ଆବଶ୍ୟକ ଚିକତ୍ସା ମିଳିପାରିନଥିଲା । ଅସହ୍ୟ ବ୍ୟଥା ହେବା ଫଳରେ ତାଙ୍କୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବାକୁ ଚେଷ୍ଟା କରିଥିଲେ । ଆମ୍ବୁଲାନ୍ସ ନଆସିବାରୁ ଶେଷରେ ଖଟିଆରେ ବୋହିଥିଲେ ସମ୍ପର୍କୀୟ । କନ୍ଧମାଳ ଜିଲ୍ଲାରେ ବାରମ୍ବାର ବାରମ୍ବାର ଏଭଳି ସମସ୍ୟା ଦଖାଯାଉଥିବା ବେଳେ ଲୋକଙ୍କ ସୁବିଧା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ ।