ଇଫୁଙ୍କୁ ସହାୟତାର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ । ପଢା ଖର୍ଚ୍ଚ ପରେ ଏବେ ମିଳିଲା ବିଜୁ ପକ୍କା ଘର ।

166

କନକ ବ୍ୟୁରୋ: ଡାକ୍ତରୀ ଛାତ୍ର ଇଫୁ ମଲ୍ଲିକଙ୍କୁ ସହାୟତାର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ । ପ୍ରଥମେ ରାଜ୍ୟ ସରକାର ଇଫୁଙ୍କ ପଢ଼ା ଖର୍ଚ୍ଚ ବହନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ଏବେ ତାଙ୍କ ପରିବାରକୁ ବିଜୁ ପକ୍କା ଘରଟିଏ ମଞ୍ଜୁର ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକ୍ ବାଗ୍ରାମିଲା ଗାଁରେ ବସବାସ କରୁଥିବା ଇଫୁଙ୍କ ପରିବାରକୁ ସ୍ଥାନୀୟ ବିଡିଓ ବିଜୁ ପକ୍କା ଘର କାର୍ଯ୍ୟାଦେଶ ପତ୍ର ଦେଇଛନ୍ତି । ବିଡିଓ ନିଜେ ଇଫୁଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ବିଜୁ ପକ୍କା ଘର ନିର୍ମାଣ ଲାଗି ଆଦେଶ ପତ୍ର ପ୍ରଦାନ କରିଛନ୍ତି । ପ୍ରଥମେ ଇଫୁଙ୍କୁ ପ୍ରଶାସନ ପକ୍ଷରୁ ୬୨ ହଜାର ୯୫୦ ଟଙ୍କା ସହାୟତା ଯୋଗାଇ ଦିଆଯାଇଥିବା ବେଳେ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଙ୍କ ନିକଟକୁ ଫୋନ ଯାଇଥିଲା । ତାଙ୍କ ପାଠପଢ଼ା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଏହା ପରେ ଇଫୁ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏବେ ସରକାରଙ୍କ ପକ୍ଷରୁ ତାଙ୍କ ପରିବାରକୁ ପକ୍କା ଘରଟିଏ ମିଳିଛି । ଇଫୁଙ୍କ ପରିବାରରେ ତାଙ୍କ ବୃଦ୍ଧ ବାପା ମା’, ବଡ଼ ଭାଇ ଓ ସାନ ଭଉଣୀ ଅଛନ୍ତି । ହେଲେ କେହି ରୋଜଗାରିଆ ନୁହନ୍ତି । ଚାଷବାସ କରି ଓ ପର ଘରେ ମୂଲ ଲାଗି ତାଙ୍କ ପରିବାର ଲୋକେ ପେଟ ପୋଷିଥାଆନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ସହାୟତାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।