ଅବହେଳିତ ଅବସ୍ଥାରେ କେନ୍ଦ୍ରାପଡାର ବତୀଘର । ଲୋକଲୋଚନକୁ ଆସିପାରୁନାହିଁ ବତୀଘର

70

କନକ ବ୍ୟୁରୋ: ଅବହେଳିତ ଅବସ୍ଥାରେ କେନ୍ଦ୍ରାପଡାର ବତୀଘର ପର୍ଯ୍ୟଟନସ୍ଥଳୀ । ଗମନାଗମନର ସୁବିଧା ନଥିବାରୁ ଲୋକଲୋଚନକୁ ଆସିପାରୁନାହିଁ ବତୀଘର ଫଲସ ପଏଣ୍ଟ । ବ୍ରିଟିଶ୍ ଶାସନ ସମୟରେ ରାସ୍ତାଘାଟର ସୁବିଧା ନଥିବାରୁ ସମୁଦ୍ର ପଥରେ ବଡ ବଡ ଜାହାଜ ସାହାଯ୍ୟରେ ପଣ୍ୟ ଦ୍ରବ୍ୟ ଆମଦାନୀ ସହିତ ରପ୍ତାନି ହେଉଥିଲା । ଗଭୀର ସମୁଦ୍ରରେ ଆସୁଥିବା ଜାହାଜ ଗୁଡିକୁ ଦିଗ ଦେଖାଇବା ପାଇଁ ଏହି ଫଲ୍ସ୍ ପଏଣ୍ଟର ନିର୍ମାଣ କରାଯାଇଥିଲା । ଜାହାଜ ଗୁଡିକ ଫଲ୍ସ ପଏଣ୍ଟରୁ ନିଗ୍ରତ ଲାଇଟକୁ ଦେଖି ବନ୍ଦର ଅଭିମୁଖେ ସୁରକ୍ଷିତ ଭାବରେ ଯାତ୍ରା କରୁଥିଲେ । ସମୁଦ୍ର ପତନରୁ ଏହାର ଉଚ୍ଚତା ପ୍ରାୟ ୩୯ ମିଟର ଥିବା ବେଳେ ସ୍ଥଳଭାଗରୁ ଏହାର ଉଚ୍ଚତା ରହିଛି ପ୍ରାୟ ୩୪ ମିଟର ।

ପର୍ଯ୍ୟଟକ ମାନେ ବତିଘର ଫଲ୍ସ ପଏଣ୍ଟ ବୁଲିବାକୁ ଆସିବା ସହିତ ବ୍ରିଟିଶ୍ ମାନଙ୍କ ଦ୍ୱାରା ନିର୍ମିତ ସୁନ୍ଦର କିର୍ତିରାଜି ଦେଖିଥାଆନ୍ତି । ନଦୀନାଳ ଘେରା ବତୀଘର ପଂଚାୟତର ବତୀଘର ଫଲ୍ସ ପଏଣ୍ଟ ଚାରିପଟେ ଘେରି ରହିଛି ବିସ୍ତୀର୍ଣ୍ଣ ଲୁଣା ଜଙ୍ଗଲ । ଯାହା ଦୂର ଦୁରାନ୍ତରରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ବେଶ ଆକୃଷ୍ଟ କରିଥାଏ । ଫଲ୍ସ୍ ପଏଣ୍ଟ ପରିସରରେ ବ୍ରିଟିଶ ମାନଙ୍କ ଦ୍ୱାରା ନିର୍ମାଣ ହୋଇଥିବା ମେଡିକାଲ୍, ପାୱାର ହାଉସ୍, ଗେଷ୍ଟହାଉସ୍, ଏକ ତୋପ ସହିତ ୧୨ ଜଣ ବ୍ରିଟିିଶ ମାନଙ୍କର ସମାଧୀ ମଧ୍ୟ ରହିଛି । ଭାରତ ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରାଳୟ ଅଧୀନରେ ଥିବା ଏହି ବତୀଘର ଫଲ୍ସ ପଏଣ୍ଟ ରକ୍ଷଣାବେକ୍ଷଣା ଅଭାବରୁ ଧୀରେ ଧୀରେ ତାର ସୌନ୍ଦର୍ଯ୍ୟ ହରାଇବାକୁ ବସିଲାଣି ।