ପୁଣି ଆସୁଛି ପଶ୍ଚିମା ଝଡ଼: ପ୍ରଭାବରେ ୨୬ରୁ ୬ଟି ଜିଲ୍ଲାରେ ବର୍ଷା, ୨୭ରୁ ଉପକୂଳର ୧୧ ଜିଲ୍ଲା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ବଢ଼ିପାରେ ବର୍ଷା

188

କନକ ବ୍ୟୁରୋ: ଆସୁଥିବା ପଶ୍ଚିମାଝଡ ପ୍ରଭାବରେ ୨୬ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ୨୬ରେ ଉତ୍ତର ଓଡି଼ଶା, ଆଭ୍ୟନ୍ତରୀଣ ଓଡି଼ଶା, ଓ ଦକ୍ଷିଣ ଓଡି଼ଶାର ବହୁ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବ ସୂଚନା ଦେବା ସହ ଏଲୋ ୱାଣ୍ଣିଂ ଜାରି କରି ସତର୍କ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । କେଉଁ କେଉଁ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ସେ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

୨୬ରୁ ବର୍ଷା ହେଲେ ବି ୨୭ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ହେବ । ବିଶେଷକରି ୨୭ରେ ଉତ୍ତର ଓଡି଼ଶା ଓ ଉପକୂଳ ଓଡି଼ଶାରେ ଅଧିକ ବର୍ଷା ହୋଇପାରେ । ଆଂଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ୨୭ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଦା, ଗଞ୍ଜାମ, ଗଜପତି, ନୟାଗଡ ଓ ଢ଼େଙ୍କାନାଳରେ ବର୍ଷା ହେବାର ସମ୍ଭାବନା ରହିଛି । ୨୮ତାରିଖ ପର୍ଯ୍ୟନ୍ତ ପଶ୍ଚିମାଝଡର ପ୍ରଭାବ ରହିବ ।

ତେବେ ଏବେ ଯାଇଥିବା ପଶ୍ଚିମାଝଡ ପ୍ରଭାବରେ ରାଜ୍ୟରେ, ଯେତିକି ବର୍ଷା ହୋଇଥିଲା, ଆସୁଥିବା ପଶ୍ଚିମାଝଡ ପ୍ରଭାବରେ ତାଠାରୁ କମ୍ ବର୍ଷା ହେବ । ଏମିତି ଆକଳନ କରିଛି ପାଣିପାଗ ବିଭାଗ ।

ପଶ୍ଚିମାଝଡ ପ୍ରଭାବରେ ବର୍ଷା ସହ ବିଜୁଳ ଓ ଘଡଘଡି ମାରିବାର ଆଶଙ୍କ ରହିଛି । ୩୦ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିବାର ଆଶଙ୍କା ରହିଛି । ୧୬ରେ ଆସିଥିବା ପଶ୍ଚିମାଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ଲୋକ କଲବଲ ହୋଇଥିଲେ । ଆଉ ଏବେ ଆଉ ଏକ ପଶ୍ଚିମାଝଡ ଆସିବା ଚିନ୍ତାକୁ ବଢ଼ାଇ ଦେଇଛି ।