ଓଡି଼ଶାରେ ବନ୍ୟା ପାଇଁ ଛତିଶଗଡ ଦାୟୀ, ବାଘେଲ ସରକାରରେ ମିଳୁନି ତଥ୍ୟ

156

କନକ ବ୍ୟୁରୋ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସ୍ଥିତି ପରେ ହନ୍ତସନ୍ତ ହେଉଛନ୍ତି ଉଭୟ ଓଡିଶା ଓ ଛତିଶଗଡର ଦୃଶ୍ୟ । ଖାଲି ଲୋକେ ନୁହଁ ଚାଷ ଜମି ମଧ୍ୟ ପ୍ରଭାବିତ ହୋଇଛି । ବନ୍ୟାକୁ ନେଇ ଦୁଇ ରାଜ୍ୟ ଦୋଷ ଲଦାଲଦି ହେଉଛନ୍ତି । ରାଜନୈତିକ ଦଳ ମଧ୍ୟ ପରସ୍ପରକୁ ଦୋଷ ଠେଲିଛନ୍ତି । ଆଉ ଯେଉଁ ‘ମହାନଦୀ’ ମହାବିବାଦ ଚୈତ୍ର, ବୈଶାଖ ବେଳେ ଚର୍ଚ୍ଚାକୁ ଆସେ ତାହା ଏବେ ଶ୍ରାବଣ ମାସରେ ତେଜିଛି ।

ମହାନଦୀର ଉପରମୁଣ୍ଡରେ ରହିଛି ଛତିଶଗଡ । ଖରାଦିନେ କଲମା ବ୍ୟାରେଜ ତାର ସମସ୍ତ ଗେଟ୍ ବନ୍ଦ କରିଦିଏ । ତେଣୁ ତଳିଆ ଅଞ୍ଚଳରେ ଥିବା ଓଡିଶାର ନଦୀ ଶ୍ରୁଖିଲା ପଡିଯାଏ । ଏବେ କିନ୍ତୁ ଗେଟ୍ ଖୋଲି ପାଣି ଛାଡିବାକୁ ତତ୍ପରତା ଦେଖାଉଛି ଛତିଶଗଡ । ତେଣୁ ଓଡିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନିନ୍ଦା କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସେପଟେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ୨୦୧୬ ବେଳର ରମଣ ସିଂ ସରକାର କଥା କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତକ୍ରାଳୀନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏବଂ ତକ୍ରାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମାଭାରତୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ହେଲେ ରମଣ ସିଂ ସହମତି ଦେଇନଥିଲେ ବୋଲି ବିଜେଡି କହିଛି । ଆଉ ଏବେ ଭୂପେଶ ବାଘେଲ ସରକାର ଏ ବିବାଦୀୟ ପ୍ରସଙ୍ଗରେ ନିରବ ଥିବା ସେ କହିଛନ୍ତି ।

ସେପଟେ କଂଗ୍ରେସ ଏ ପ୍ରସଙ୍ଗରେ ଓଡିଶା ସରକାରକୁ ଯେସାକୁ ତେସା ନୀତି ଆପଣାଇବାକୁ କହିଛି । ମହାନଦୀ ଶୁଖିଲା ପଡିଥିବା ବେଳେ ଛତିଶଗଡ କଲମା ବ୍ୟାରେଜ ଗେଟ୍ ଖୋଲିନଥିଲା । ଏବେ ଛତିଶଗଡ ବନ୍ୟାରେ ଉବୁଟୁବୁ ହେଉଛି । ଆଉ ଓଡିଶାକୁ ହୀରାକୁଦର ଗେଟ୍ ଖୋଲିବାକୁ କହୁଛି । କିନ୍ତୁ ଆମେ ଗେଟ୍ ନଖୋଲିବା ଦରକାର ।

ମହାନଦୀ ଉପରମୁଣ୍ଡରେ ବନ୍ୟା ହେବା ପରେ ହୀରାକୁଦ ଗେଟ୍ ଖୋଲିବାକୁ ବାରମ୍ବାର ଅନୁରୋଧ କରୁଛି ଛତିଶଗଡ । କିନ୍ତୁ ଓଡିଶା ଜଳ ସମ୍ପଦ ବିଭାଗ ତଳ ମୁଣ୍ଡରେ ବନ୍ୟା ନିୟନ୍ତ୍ରଣ ପାଇଁ ଖୋଲାଥିବା ୩୪ଟି ଗେଟରୁ ୮ଟି ଗେଟ ବନ୍ଦ କରିଦେଇଛନ୍ତି ।

ଆଭ୍ୟନ୍ତରୀଣ ଓଡିଶାରେ ପ୍ରଚୁର ବର୍ଷା ଯୋଗୁଁ ତେଲ ନଦୀ ସମେତ ମହାନଦୀର ପ୍ରମୁଖ ଉପ ନଦୀ ଗୁଡିକରେ ପ୍ରଚୁର ପରିମାଣର ବନ୍ୟା ଜଳ ମହାନଦୀରେ ମିଶୁଛି । ତେଣୁ ତଳମୁଣ୍ଡରେ ବନ୍ୟା ଜଳର ସୁପରିଚାଳନା ପାଇଁ ଗେଟ୍ ବନ୍ଦ କରାଯାଇଛି ଓ ଛତିଶଗଡ ବନ୍ୟା ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ଏସଆରସି । ବିବାଦ ଟ୍ରିବ୍ୟୁନାଲରେ ରହି ଦିନ ଗଡୁଛି । କିନ୍ତୁ ସମାଧାନ ହୋଇପାରୁନଥିବାରୁ ଦୁଇ ରାଜ୍ୟ ଉଭୟ ମୌସୁମୀ ଓ ଅଣ ମୌସୁମୀ ରୁତୁରେ ପ୍ରଭାବିତ ହେଉଛନ୍ତି ।