ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ଲୋକଙ୍କ ବଢୁଛି ଦୁର୍ଦ୍ଦଶା : ବିପଦ ସଙ୍କେତ ଉପରେ ଜଳକା ନଦୀ ।ପୁରୀ ଓ କଟକରେ ଛାଡୁନି ପାଣି । ପିପିଲି ଓ କଣାସ ଜଳବନ୍ଦୀ

477

କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ୧୫ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି । ୪୮ ଘଂଟା ଧରି ତୁହାକୁ ତୁହା ବର୍ଷା ପରେ ଜନଜୀବନ ପ୍ରଭାବିତ ହୋଇଛି । ବିଶେଷ କରି ଆଜି ଢ଼େଙ୍କାନାଳ, କେନ୍ଦୁଝର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଳାରେ ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ପାଂଚଟି ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ, ନୟାଗଡ, ଦେବଗଡ ଓ ଅନୁଗୁଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହାରି ଭିତରେ କଟକ ଓ ପୁରୀରୁ ଆସିଛି ବର୍ଷା ପାଣି ଜମିରହିଥିବାର ଏପରି ଚିତ୍ର ଯାହା ଦେଖିଲେ ସହର ଭିତରେ ଥିବା ସ୍ଥାନ ବି ପୋଖରୀ ଭ୍ରମ ସୃଷ୍ଟି କରିବ । ସହର ଭିତରେ ପାଣି । ରାସ୍ତା ଉପରେ ପାଣି । ବଜାର ଭିତରେ ପାଣି । ଘରୁ ପଦାକୁ ବାହାରିବେ ମାତ୍ରେ ଚାରି ଆଡେ କେବଳ ନଜର ଆସିବ ପାଣି ଆଉ ପାଣି । ତେଣୁ ବର୍ଷା କମିଥିଲେ ମଧ୍ୟ ଏପରି ଜଳବନ୍ଦୀ ଜୀବନ ଲୋକଙ୍କ ଦୁର୍ଦ୍ଦଶାକୁ ବଢାଇ ଦେଇଛି ।

ସେହିପରି ପୁରୀରେ ଲଘୁଚାପ ବର୍ଷା ପରର ସ୍ଥିତି ଅତି ଦୟନୀୟ । ସହର ତଳି ଅଂଚଳ ଗୁଡିକରେ ଜମି ରହିଛି ବର୍ଷା ପାଣି । ବର୍ଷା କମିଥିଲେ ବି ପାଣି ଛାଡିବାର ନାଁ ଧରୁନି । ଏପରି ସ୍ଥିତିରେ ବଳିଆ ପଣ୍ଡାରୁ ନେଇ ରାମଚଣ୍ଡି ସାହି ସବୁଠାରେ ଦେଖିବାକୁ ମିଳିଛି ବର୍ଷା ପାଣିର ଦୁଃଖ । ରାମଚଣ୍ଡି ବସ୍ତିରେ ଘରେ ପଶିଛି ଜମି ରହିଥିବା ବର୍ଷା ପାଣି । ଘରେ ପାଣି ପଶିବା ପରେ ଆସବାବପତ୍ର ଭିଜି ଯାଇଛି । ଲୋକେ ସାଧାଲଣ ଜୀବନ ଯାପନରେ ବଡ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଅଚାନକ ଲଘୁଚାପ ବର୍ଷା ଏମିତି ଦୁଃଖ ଡାକି ଆଣିବ କେହି କେବେ ବି ଚିନ୍ତା କରିନଥିଲେ । କିଛି ସ୍ଥାନରେ କଚ୍ଚାଘର ଭାଂଗିଥିବା ଖବର ବି ଆସିଛି ।

ସେପଟେ ଖୋର୍ଦ୍ଧା ଜିଲ୍ଲାର ବୋଲଗଡରେ ଲୋକଙ୍କ ଚିନ୍ତା ବଢାଇ ଦେଇଛି ଲଘୁଚାପ ବର୍ଷା । ଦୁଇ ଦିନର ଲଗାଣ ବର୍ଷା ପରେ ଏବେ ଅନେକ ଅଂଚଳରୁ ପାଣି ଛାଡୁନି । ରାସ୍ତା ଉପରେ ଜମି ରହିଛି ଆଣ୍ଠୁଏ ପାଣି । ଏହାରି ଭିତରେ ଜଳବନ୍ଦୀ ଜୀବନରେ ହନ୍ତସନ୍ତ ହେଉଛନ୍ତି ବୋଲଗଡ ବାସିନ୍ଦା । ବର୍ଷା ନଥିଲେ ବି ଏହା ପରର ଜଳବନ୍ଦୀ ଜୀବନକୁ ନେଇ ଅଧିକ ଚିନ୍ତାରେ ପଡିଛନ୍ତି ଲୋକେ ।

ଲଘୁଚାପର ଲଗାଣ ବର୍ଷା ପରେ ଫୁଲୁଛି ଜଳକା ନଦୀ । ଜଳକା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନୀଠାରେ ବିପଦ ସଂକେତ ୫ ଦଶମିକ ପାଂଚ ଶୂନ ମିଟର ରହିଛି । ବର୍ତମାନ ୬ ଦଶମିକ ଦୁଇ ଦୁଇ ମିଟର ଉପରେ ପ୍ରବାହିତ ହେଉଛି ପାଣି । ପ୍ରତିଘଂଟାରେ ଜଳସ୍ତର ଶୂନ ଦଶମିକ ଏକ ଶୂନ ମିଟର ବୃଦ୍ଧି ପାଉଛି । ଜଳସ୍ତର ବଢ଼ୁଥିବାରୁ ଆତଙ୍କିତ ହୋଇପଡିଛନ୍ତି ତଳିଆ ଅଂଚଳରେ ରହୁଥିବା ଲୋକେ । କାରଣ ଜଳକାର ଜଳସ୍ତର ବଢିବା ସହିତ ଅନେକ ଅଂଚଳକୁ ନଦୀର ଜଳ ମାଡିବା ଆରମ୍ଭ କରିଛି ।

ପୁରୀ ଜିଲ୍ଲାର ପିପିଲିରେ ପଡିଛି ଲଘୁଚାପ ବର୍ଷାର ପ୍ରଭାବ । ଦୁଇ ଦିନର ଲଗାଣ ବର୍ଷା ପରେ ଏବେ ଚାରିଆଡେ ପାଣି । ଘରେ ପାଣି, ରାସ୍ତାରେ ଆଣ୍ଟୁଏ ପାଣି ତ ବଜାରରେ ବି ପାଣି । ଅନେକ ସ୍ଥାନରେ ପାଣି କାରଣରୁ ବ୍ୟବସାୟ ପ୍ରଭାବିତ ହୋଇଛି । ରାସ୍ତାରେ ପାଣି ଜମି ରହିବା ପରେ ନିଷ୍କାସନ ହୋଇପାରୁନଥିବାରୁ ଲୋକଙ୍କ ସମସ୍ୟା ବଢିବାରେ ଲାଗିଛି । ଲଗାଣ ବର୍ଷାକୁ ପାଣି ଜମି ରହିବା ସ୍ଥିତି ଲୋକଙ୍କ ସମସ୍ୟାକୁ ବଢାଇ ଦେଇଛି । ପିପିଲି ପରି ସମାନ ଅବସ୍ଥା ଦେଖିବାକୁ ମିଳିଛି ସତ୍ୟବାଦୀ ଓ କଣାସ ବ୍ଲକରେ । ସତ୍ୟବାଦୀ ଓ କଣାସ ଅଂଚଳରେ ଅନେକ ସ୍ଥାନରେ ବର୍ଷା ପାଣି ଜମି ରହିଥିବା ଚିତ୍ର ବି ଦେଖିବାକୁ ମିଳିଛି । କହିବାକୁ ଗଲେ ଏହି ସବୁ ଅଂଚଳରେ ବନ୍ୟା ହୋଇନଥିଲେ ବି ଲୋକେ କିନ୍ତୁ ଜଳବନ୍ଦୀ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ।