ଜୟପୁର ସହରରୁ ଆସିଲା ବିଦ୍ୟାଳୟର ବିକଳ ଚିତ୍ର। ଗୋଟିଏ ଶ୍ରେଣୀଗୃହରେ ଚାଲିଛି ଦୁଇଟି କ୍ଲାସ, ପାଠ ପଢାଉଛନ୍ତି ୨ ଜଣ ଶିକ୍ଷୟିତ୍ରୀ। 

102

କନକ ବ୍ୟୁରୋ :  ଗୋଟିଏ ଶ୍ରେଣୀ ଗୃହରେ ଦୁଇଟି କ୍ଲାସର ପାଠପଢା । ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀ ଗୋଟିଏ ଦିଗକୁ ମୁହଁ କରି ପାଠ ପଢୁଥିବା ବେଳେ, ଦ୍ୱିତୀୟ ଶ୍ରେଣୀ ପିଲା ଅନ୍ୟ ଦିଗକୁ ମୁହଁ କରି ପାଠପଢୁଛନ୍ତି । ଏହି ଦୁଇ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦୁଇ ଜଣ ଶିକ୍ଷୟତ୍ରୀ  ମଧ୍ୟ ଏକ ସଙ୍ଗରେ ପାଠପଢାଉଛନ୍ତି । ଶିକ୍ଷା ବ୍ୟବସ୍ଥାର ଏମିତି ବିକଳ ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ସହରରେ ଥିବା ପାରାବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠପଢାଯାଉଥିଲେ ମଧ୍ୟ ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ପ୍ରକୋଷ୍ଠରେ ଦୁଇଟି ଶ୍ରେଣୀର ୭୦ରୁ ଅଧିକ ପିଲାଙ୍କୁ ପାଠ ପଢାଇବାକୁ ପଡୁଛି ।

କେବଳ ଏତିକି ନୁହେଁ କୋମଳମତି ପିଲା ପାଠପଢୁଥିବା ଏହି ସ୍କୁଲରେ ଥିବା ଶୈାଚାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ବନ୍ଦ ହୋଇ ପଡିଛି । ପାଇପ ସଂଯୋଗ ହୋଇଥିଲେ ମଧ୍ୟ ପାଣି ନାହିଁ । ଜୟପୁର ପରି ସହର ମଧ୍ୟରେ ଥିବା ସ୍କୁଲର ଏମିତି ଅବସ୍ଥା ଦେଖିଲେ ଉପାନ୍ତ ଅଞ୍ଚଳର ଶିକ୍ଷା ବ୍ୟବସ୍ଥା କେମିତି ଚାଲିଛି ତାହା ସହଜରେ ଅନୁମେୟ ।

ଗୋଟିଏ ପଟେ ସରକାର, ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଉଦ୍ୟମ କରୁଥିବା କୁହାଯାଉଛି । ଉତ୍ତମ ଭିତ୍ତଭୂମି ଯୋଗାଇ ସ୍କୁଲ ଗୁଡିକର ରୂପାନ୍ତରିକରଣ ପ୍ରକ୍ରିୟା ଦ୍ୱାରା ଶିକ୍ଷାର ବିକାଶ କରାଯାଉଥିବା ଡିଣ୍ଡିମ ପିଟାଯାଉଛି । କିନ୍ତୁ ଜୟପୁର ଭଳି ସହରର ଛାତି ଉପରେ ଥିବା ଏହି ବିଦ୍ୟାଳୟରେ ବ୍ୟବସ୍ଥାକୁ ଦେଖିଲେ, ଯେ କେହି ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇବା ସ୍ୱାଭାବିକ ।