ବ୍ରହ୍ମପୁରରେ ବର୍ଷିଲେ ମୋଦୀ । ବିଜେଡି ସରକାରକୁ ଜୋରଦାର ଟାର୍ଗେଟ । କହିଲେ ଜୁନ୍ ୪ ବିଜେଡିର ଏକ୍ସପାଏରୀ ତାରିଖ ।

316

କନକ ବ୍ୟୁରୋ : ବ୍ରହ୍ମପୁରରେ ବର୍ଷିଲେ ମୋଦୀ । ଜନସଭାରୁ ବିଜେଡି ସରକାର ଉପରେ ବର୍ଷିବା ସହିତ ଜୁନ୍ ୪ ବିଜେଡି ସରକାରର ଏକ୍ସପାଏରୀ ତାରିଖ ବୋଲି କହିଛନ୍ତି ମୋଦୀ । ଏଥିସହିତ ଓଡିଶାରେ ବିଜେପି ଏଥର ସରକାର ଗଢିବ । ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଜୁନ୍ ୧୦ ତାରିଖରେ ଶପଥ ନେବେ ବୋଲି କହିଛନ୍ତି ମୋଦୀ ।

ସୋମବାର ବ୍ରହ୍ମପୁରରେ ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ କହି ନିଜର ଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏଥିସହ ସେ କହିଥିଲେ, କାଲି ମୁଁ ଅଯୋଧ୍ୟାରେ ଥିଲି, ଆଜି ମୁଁ ମହାପ୍ରଭୁଙ୍କୁ ଭୂମିରେ ଅଛି । ଆଜି ମୁଁ ଆପଣଙ୍କ ଆଶୀର୍ବାଦ ନେବାକୁ ଆସିଛି । ଅନ୍ୟପଟେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଉଠାଇ, କିଏ ରାମ ମନ୍ଦିର ନିର୍ମାଣ କରିଛି ବୋଲି ପ୍ରଶ୍ନ କରିଥିଲେ ମୋଦୀ । ଏଥିସହ ଲୋକଙ୍କ ଗୋଟିଏ ଭୋଟ ହିଁ ରାମ ମନ୍ଦିର ନିର୍ମାଣ କରିଛି ବୋଲି କହିଥିଲେ ମୋଦୀ ।

ଅନ୍ୟପଟେ ଓଡିଶାରେ ଏଥର ୨ଟି ଯଜ୍ଞ ଏକାସାଙ୍ଗରେ ହେଉଛି । ଗୋଟିଏ ହେଉଛି ଦେଶ ପାଇଁ ମଝବୁତ୍ ସରକାର ନିର୍ମାଣ ପାଇଁ । ଅନ୍ୟଟି ହେଉଛି ଓଡିଶାରେ ମଝବୁତ ରାଜ୍ୟ ସରକାର ନିର୍ମାଣ ପାଇଁ । ଓଡିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଗଢିବାକୁ ଆହ୍ୱାନ ଦେଇଥିଲେ ମୋଦୀ । ଓଡିଶା ବିଜେପି, ଓଡିଶାର ଆକାଂକ୍ଷାକୁ ଧ୍ୟାନରେ ରଖି ସଙ୍କଳ୍ପ ପତ୍ର ଜାରି କରିଛନ୍ତି । ଏଥିରେ ଯୁବ, ମହିଳାଙ୍କ ପାଇଁ ରୋଜଗାର ଅଛି । ଏଥିରେ ବୃଦ୍ଧଙ୍କ ପାଇଁ ସ୍ୱାସ୍ଥ୍ୟ ଅଛି, ଏଥିରେ ଓଡିଶାର ମହାନ ସଂସ୍କୃତି, ପର୍ଯ୍ୟଟନ ବିକାଶ ପାଇଁ ଘୋଷଣା ହେଇଛି । ବିଜେପି ଯାହା କହିଥାଏ, ତାହା କରିକି ଦେଖାଏ । ତେଣୁ ଏଥିପାଇଁ ଏଠି ସରକାର ହେବା ପରେ ଆମେ ପୂରା ଶକ୍ତିର ସହ ଏହି ସଙ୍କଳ୍ପକୁ ପୂରା କରିବୁ । ଏ ହେଉଛି ମୋଦୀର ଗ୍ୟାରେଣ୍ଟିଂ ।

ଖାଲି ସେତିକି ନୁହେଁ, ରାଜ୍ୟର ବିଜେଡି ସରକାରକୁ ଟାର୍ଗେଟ କରିବା ସହିତ ମୋଦୀ କହିଥିଲେ, ଜୁନ୍ ୪ରେ ଏଠି ବିଜେଡି ସରକାରର ଏକ୍ସପାଏରି ଡେଟ୍ ଲେଖାହେଇଛି । ଆଜି ମେ ୬ ତାରିଖ, ଜୁନ୍ ୬କୁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଧାର୍ଯ୍ୟ ହେବ । ଜୁନ୍ ୧୦ରେ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଶପଥ ନେବେ । ମୁଁ ଏହି ଶପଥ ସମାରୋହକୁ ନିମନ୍ତ୍ରଣ ଦେବାକୁ ଆସିଛି । ଓଡିଶାରେ ବିଜେପି ଅସ୍ତ, କଂଗ୍ରେସ ନିସ୍ତେଜ ଏବଂ ଲୋକ ବିଜେପି ଉପରେ ଆଶ୍ୱସ୍ତ ଅଛନ୍ତି । କେବଳ ବିଜେପି ହିଁ ଆଶାର ନୂଆ କିରଣ ହେଇ ଆସିଛି ।

ଗତ ୫୦ ବର୍ଷ ଧରି କଂଗ୍ରେସ ଏବଂ ୨୫ ବର୍ଷ ଧରି ବିଜେଡି ସରକାର ଅଛି । ଓଡିଶା ପାଖରେ ଭରପୁର ପାଣି ଅଛି, ଖଣିଜ ପଦାର୍ଥ ମଧ୍ୟ ଅଛି । ଏତେ ଲମ୍ବା ସମୁଦ୍ର ତଟ ବି ଅଛି । ହେଲେ ଏହାସତ୍ତେ୍ୱ ବି, ଏତେ ଧନୀଶାଳୀ ଓଡିଶା କାହିଁକି ଗରିବ ରହିଗଲେ ବୋଲି ମୋଦୀ ପ୍ରଶ୍ନ କରିଛନ୍ତି । ଓଡିଶା ଧନୀ, କିନ୍ତୁ ଲୋକ ଗରିବ । ପ୍ରଥମେ କଂଗ୍ରେସ ଓ ତା ପରେ ବିଜେଡି ନେତାଙ୍କ ଲୁଟ୍ ଏହାର କାରଣ । ଛୋଟ ଛୋଟ ନେତା ବି ବଡ ବଡ ବଙ୍ଗଳାର ମାଲିକ ହେଇସାରିଲେଣି । ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରୁ ସବୁଠୁ ଅଧିକ ଲୋକ ଦାଦନ ଖଟୁଛନ୍ତି । ଏଠାକାର ଅଧିକାଂଶ ଡାକ୍ତରଖାନାରେ ଡାକ୍ତର ପଦ ଖାଲି । ପିଲାମାନେ ଅଧାରୁ ପାଠ ଛାଡୁଛନ୍ତି । ହିଞ୍ଜିଳିରେ ଶୀତଳ ଭଣ୍ଡାର ମଧ୍ୟ ନାହିଁ । ମୋଦୀ ଓଡିଶାର ବିକାଶ ପାଇଁ ବଜେଟ କେବେ କମ୍ କରିନି ବୋଲି କହିଛନ୍ତି ମୋଦୀ ।

ମନମୋହନ ସିଂହ ସରକାର ସମୟରେ ୧୦ ବର୍ଷରେ ଓଡିଶାକୁ ୧ ଲକ୍ଷ କୋଟି ଦେଇଥିଲେ । ହେଲେ ମୋଦୀ ୧୦ ବର୍ଷରେ ଓଡିଶାକୁ ସାଢେ ୩ ଲକ୍ଷରୁ ଅଧିକ ଟଙ୍କା ଓଡିଶାକୁ ଦେଇଛି । ହେଲେ କେବଳ ପଇସା ପଠାଇବାରେ କାମ ହେଉନି । ଏଠି ଭଲ ସରକାର ମଧ୍ୟ ଦରକାର । ବିଜେଡି ସରକାର ଯୋଜନାକୁ ଲାଗୁ କରୁନି । ନହେଲେ ନିଜର ଷ୍ଟିକର ଲଗେଇ ଦେଉଛି । ଜଳଜୀବନ ମିଶନ ପାଇଁ ଓଡିଶାକୁ ୧୦ ହଜାର କୋଟି ଟଙ୍କା ଦିଆହେଇଥିଲା । ହେଲେ ସେ ଟଙ୍କାକୁ ବିଜେଡି ସରକାର ଠିକ୍ ସେ ଖର୍ଚ୍ଚ ବି କରିପାରିଲାନି । ମୋଦୀ ଗାଁରେ ସଡକ ତିଆରି କରିବାକୁ ଟଙ୍କା ପଠାଉଛି, ହେଲେ ଏଠି ଗାଁରେ ସଡକ ଅବସ୍ଥା ଖରାପ । ମୋଦୀର ମାଗଣା ଚାଉଳ ଉପରେ ନିଜ ଷ୍ଟିକର ଲଗାଉଛନ୍ତି । ସେମାନେ ନିଜେ କିଛି ବି କରିନାହାଁନ୍ତି ।

ମୋଦୀ ପୂରା ଦେଶରେ ଗରିବଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ଗ୍ୟାରେଣ୍ଟିଂ ଦେଇଛି । ଦେଶରେ ୬ କୋଟିରୁ ଅଧିକ ଲୋକ ମାଗଣା ଚିକିତ୍ସାର ଲାଭ ନେଇଛନ୍ତି । ହେଲେ ଓଡିଶାର ଲୋକ କିନ୍ତୁ ଏହାର ଲାଭ ପାଇପାରୁନାହାଁନ୍ତି । କାହିଁକି ନା, ବିଜେଡି ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ଏଠି ଲାଗୁ କରିବାକୁ ଦେଲାନି ବୋଲି କହିବା ସହିତ ବର୍ଷିଛନ୍ତି ମୋଦୀ ।