କ’ଣ କହିବେ ରାହୁଲ? ଆଜି ସାମ୍ବାଦିକ ସମ୍ମିଳନୀ କରିବେ ପୂର୍ବତନ କଂଗ୍ରେସ ସାଂସଦ

128

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭାର ପ୍ରାଥମିକ ସଦସ୍ୟତା ପଦ ରଦ୍ଦ କରାଯାଇଛି । ଆଉ ଏବେ ଲୋକସଭା ୱେବସାଇଟରେ ମଧ୍ୟ ତାଙ୍କ ନାଁ ମଧ୍ୟ ହଟିଯାଇଛି । ଏହି ପୂରା ଘଟଣାକୁ ନେଇ କଂଗ୍ରେସ ସହ ପୂରା ବିରୋଧୀ ଦଳ ଖୁବ୍ ହଙ୍ଗାମା କରିବା ସହ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେପଟେ ଉଭୟ କଂଗ୍ରେସ ଓ ବିଜେପି ପରସ୍ପରକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ଏହାରି ଭିତରେ ଆଜି ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ମିଳିଛି । ସୁରତ ସେସନ୍ସ କୋର୍ଟ ତାଙ୍କ ଉପରେ ଯେଉଁ ଦଣ୍ଡାଦେଶ ଲଗାଇଛନ୍ତି ଏବଂ ଲୋକସଭାରୁ ସଦସ୍ୟତା ପଦ ଯିବା ପରେ ରାହୁଲ ପ୍ରଥମଥର ନିଜ ମତ ରଖିବେ । ଶୁକ୍ରବାର ଟ୍ୱିଟ୍ କରି ଲେଖିଥିଲେ, ମୁଁ ଭାରତର ସ୍ୱର ପାଇଁ ଲଢ଼େଇ କରୁଛି । ଆଉ ଏଥିପାଇଁ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛି ବୋଲି ରାହୁଲ ଲେଖିଥିଲେ । ସେପଟେ ରାହୁଲଙ୍କ ପାଇଁ ପୂରା କଂଗ୍ରେସ ରଣହୁଙ୍କାର ଦେଇଛି । ଆଜି କଂଗ୍ରେସ ପୁଣି ଦେଶବ୍ୟାପୀ କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ କରିବ । ଏହାସହ ରାହୁଲଙ୍କ ପାଇଁ କଂଗ୍ରେସ ଦଳ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଜଣାପଡ଼ିଛି ।