ବଢ଼ିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତା । ଉପକୃତ ହେବେ ୧ କୋଟି ୧୭ ଲକ୍ଷ କର୍ମଚାରୀ

3,377

କନକ ବ୍ୟୁରୋ : ବଢ଼ିଲା କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତା । କେନ୍ଦ୍ର ସରକାର ମହଙ୍ଗା ଭତା ବା ଡିଏ ଓ ମହଙ୍ଗା ସହାୟତା ବା ଡିଆର୍ ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଫଳରେ ଏବେ ମହଙ୍ଗା ଭତା ୩୮ରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇଛି । ମହଙ୍ଗା ଭତା ବୃଦ୍ଧି ଦ୍ୱାରା ୧ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ । ବର୍ତମାନର ବର୍ଦ୍ଧିତ ଦର ୨୦୨୩ ମସିହା ଜାନୁଆରୀ ୧ ତାରିଖରୁ ଲାଗୁ ହେବ । ଫଳରେ ପ୍ରତିବର୍ଷ ସରକାରଙ୍କ ଉପରେ ୧୨ହଜାର ୮୧୫ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ ।

ତେବେ ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ପ୍ରାୟ ୪୭ ଦଶମିକ ୫୮ ଲକ୍ଷ କର୍ମଚାରୀ ଓ ୬୯ଦଶମିକ ୭୬ ଲକ୍ଷ ପେନସନଭୋଗୀ ଲାଭବାନ ହେବେ । ଅର୍ଥାତ୍ ମୋଟ ୧ ଦଶମିକ ୧୭ କୋଟି କର୍ମଚାରୀ ଉପକୃତ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଡିଏ ଡିଆର୍ ଅତିରିକ୍ତ କିସ୍ତିକୁ ସରକାର ଚଳିତବର୍ଷ ଜାନୁଆରୀ ପହିଲାରୁ ପିଛିଲା ଭାବେ ଜାରି କରିବେ । ସପ୍ତମ ବେତନ ଆୟୋଗଙ୍କ ପ୍ରସ୍ତାବ ଆଧାରରେ ଭତାରେ ଏଭଳି ବୃଦ୍ଧି ନିଷ୍ପତି ନିଆଯାଇଛି ।