ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଆଶ୍ୱସ୍ତି । ହାଜର ହେବା ପରେ ଜାମିନ ଦେଲେ ଉତ୍ତରପ୍ରଦେଶ ସୁଲତାନପୁର କୋର୍ଟ

69

କନକ ବ୍ୟୁରୋ: ୬ ବର୍ଷ ତଳର ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଆଶ୍ୱସ୍ତି । ଉତ୍ତରପ୍ରଦେଶର ସୁଲତାନପୁର କୋର୍ଟରୁ ରାହୁଲଙ୍କୁ ଜାମିନ ମିଳିଛି । ୨୫ ହଜାର ଟଙ୍କାର ବେଲ ବଣ୍ଡ ବଦଳରେ ରାହୁଲଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ୨୦୧୮ ମସିହାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାହୁଲ । ଏହି ଘଟଣାରେ ବିଜେପି ନେତା ବିଜୟ ମିଶ୍ର କୋର୍ଟରେ ମାନହାନି ମାମଲା ରୁଜୁ କରିଥିଲେ । ଏହି ମାମଲାରେ ଆଜି ରାହୁଲ ସୁଲତାନପୁର କୋର୍ଟରେ ହାଜର ହେବା ସହ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।

୨୦୧୮ ମସିହାରେ ମେ ୮ ତାରିଖରେ କର୍ଣ୍ଣାଟକର ଏକ ରାଲିରେ ଯୋଗ ଦେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଆପତିଜନକ ଟିପ୍ପଣୀ ଦେଇଥିଲେ ରାହୁଲ । ଗୁଜରାଟ ଫର୍ଜୀ ଏନକାଉଣ୍ଟର ମାମଲାରେ ଶାହାଙ୍କୁ ସିବିଆଇ କ୍ଲିନଚିଟ ଦେବା ଘଟଣାକୁ ଉଠାଇ ଶାହାଙ୍କୁ ହତ୍ୟାକାରୀ କହିଥିଲେ ରାହୁଲ । ତେବେ ଘଟଣାକୁ ବିରୋଧ କରି ବିଜେପି ନେତା ବିଜୟ ମିଶ୍ରା ରାହୁଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ ।

କୋର୍ଟରେ ହାଜର ହେବା ପାଇଁ ଭାରତଯୋଡ ଯାତ୍ରାକୁ ଦୁଇ ଦିନ ପାଇଁ ସ୍ଥଗିତ ରଖାଯାଇଛି । ପୂର୍ବରୁ ମୋଦୀ ସାଙ୍ଗିଆକୁ ନେଇ ବିବାଦୀୟ ବୟାନ ଦେଇ ସମସ୍ୟାରେ ପଡିଥିଲେ ରାହୁଲ ।