ସନ୍ଦେଶଖାଲି ଘଟଣାରେ ଜଳୁଛି ପଶ୍ଚିମବଙ୍ଗ । ଟିଏମସି ବିରୋଧରେ ବିଜେପି-କଂଗ୍ରେସର ହଲ୍ଲାବୋଲ

206

କନକ ବ୍ୟୁରୋ: ପଶ୍ଚିମବଙ୍ଗ ସନ୍ଦେଶଖାଲିର ମହିଳାଙ୍କୁ ଯୌନ ଉତ୍ପୀଡନ ମାମଲାରେ ତେଜିବାରେ ଲାଗିଛି ପଶ୍ଚିମବଙ୍ଗ ରାଜନୀତି । ଦିନକୁ ଦିନ ମମତା ବାନାର୍ଜୀ ସରକାରର ଅଡୁଆ ବଢିବାରେ ଲାଗିଛି । ବିରୋଧୀ ଦଳ ଗୁଡ଼ିକ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଓ ମହିଳା ସୁରକ୍ଷା ପ୍ରସଙ୍ଗ ଉଠାଇ ଟିଏମସି ସରକାରକୁ ଘେରିଛନ୍ତି ।

  • ସନ୍ଦେଶଖାଲି ଘଟଣାରେ ଜଳୁଛି ପଶ୍ଚିମବଙ୍ଗ
  • ଟିଏମସି ବିରୋଧରେ ବିଜେପି-କଂଗ୍ରେସର ହଲ୍ଲାବୋଲ

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ସନ୍ଦେଶଖାଲିରେ ପହଁଚିଛନ୍ତି । ବିଜେପି ମହିଳା ମୋର୍ଚା ଘଟଣାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ କଂଗ୍ରେସ, ସିପିଆଇ ମଧ୍ୟ ଟିଏମସି ସରକାରଙ୍କୁ ଘେରିଛନ୍ତି । ସେପଟେ ପୀଡିତ ପରିବାରକୁ ଭେଟିବା ପରେ ମମତା ବାନାର୍ଜୀଙ୍କ ଉପରେ ବର୍ଷିବା ସହ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ସୁପାରିଶ କରିଛନ୍ତି ମହିଳା କମିଶନ ।

  • ହାଇକୋର୍ଟଙ୍କ କ୍ଷୋଭ ପ୍ରକାଶ
  • ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ମମତା ସରକାର

ମାସେରୁ ଅଧିକ ସମୟ ହେବ ଫେରାର ଅଛନ୍ତି ସନ୍ଦେଶଖାଲି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଟିଏମସିର ବାହୁବଳୀ ନେତା ଶେଖ ଶାହାଜାହାଁ । ଜଣେ ଅଭିଯୁକ୍ତ ଏଭଳି କେମିତି ଫେରାର ହୋଇ ପାରିବ? କାହିଁକି ଜଣେ ଅପରାଧୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି ବୋଲି ମମତା ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପଶ୍ଚିମବଙ୍ଗ ହାଇକୋର୍ଟ । ସେହିପରି ସନ୍ଦେଶଖାଲିରେ ୧୪୪ ଧାରା ଜାରି କରିବା ନେଇ ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି ।

ଟିଏମସି ନେତା ଶେଖ ଶାହାଜାହାଁ ଓ ତାଙ୍କର କିଛି ସହଯୋଗୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ରହିଛି । ମାମଲାରେ ୧୭ଜଣଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଶେଖ ଶାହାଜାହାଁ ଏଯାଏ ଫେରାର ରହିଛି ।